ରିପୋର୍ଟରେ କୁହାଯାଇଛି ଯେ ଏଡିପି ଅନ୍ତର୍ଗତ କରାଯାଇଥିବା ଲକ୍ଷ୍ୟବଦ୍ଧ ପ୍ରୟାସ ଫଳରେ ଉପାନ୍ତ ଅଂଚଳ ତଥା ବାମପନ୍ଥୀ ଉଗ୍ରବାଦ କବଳିତ ଜିଲ୍ଲାଗୁଡ଼ିକ ସମେତ ପୂର୍ବରୁ ଅବହେଳିତ ହୋଇ ରହିଥିବା ଜିଲ୍ଲାଗୁଡ଼ିକରେ ବିଗତ ତିନି ବର୍ଷ ମଧ୍ୟରେ ପୂର୍ବାପେକ୍ଷା ଅଧିକ ବିକାଶ ଓ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମର ରୂପାୟନରେ ଅନେକ ବାଧା ରହିଥିଲେ ସୁଦ୍ଧା ଏପିଡି ପଛୁଆ ଜିଲ୍ଲାଗୁଡ଼ିକରେ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବାରେ ବ୍ୟାପକ ଭାବେ ସଫଳ ହୋଇପାରିଛି ।ଏହି ରିପୋର୍ଟକୁ ଆଜି ୟୁଏନଡିପି ଇଣ୍ଡିଆର ଆବାସିକ ପ୍ରତିନିଧି ଶୋକୋ ନୋଡା ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତଙ୍କୁ ହସ୍ତାନ୍ତର କରିଥିଲେ । ଏଥିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତିକୁ ସାମିଲ କରାଯାଇଛି ଏବଂ ଏଥିରେ ଅଧିକ ସୁଧାର ସୁପାରିସ କରାଯାଇଛି । ଏହି ରିପୋର୍ଟରେ ସର୍ବସାଧାରଣରେ ଉପଲବ୍ଧ ତଥ୍ୟର ପରିମାଣାମାତ୍ମକ ବିଶ୍ଳେଷଣ ସହିତ ଜିଲ୍ଲାପାଳ, କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ, ଜିଲ୍ଲା ପ୍ରତିନିଧି ଏବଂ ଅନ୍ୟ ବିକାଶ ଭାଗିଦାରଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କର ସାକ୍ଷାତକାର ରହିଛି ।ଏଡିପିର ପାଂଚଟି ପ୍ରମୁଖ କ୍ଷେତ୍ର-ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ; ଶିକ୍ଷା; କୃଷି ଓ ଜଳସମ୍ପଦ; ମୌଳିକ ଭିତ୍ତିଭୂମି; ଏବଂ ଦକ୍ଷତା ବିକାଶ ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ-ରେ କରାଯାଇଥିବା ୟୁଏନଡିପିର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏହିସବୁ ଜିଲ୍ଲାରେ ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିଛି । ରିପୋର୍ଟରେ କୁହାଯାଇଛି, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଶିକ୍ଷା ଏବଂ କିଛି ଦୂର ପର୍ଯ୍ୟନ୍ତ, କୃଷି ଓ ଜଳ ସମ୍ପଦ, କ୍ଷେତ୍ରରେ ବ୍ୟାପକ ସୁଧାର ଦେଖାଦେଇଛି, ଅନ୍ୟ ସଙ୍କେତକଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ସୁଧାର ପରିଲକ୍ଷିତ ହୋଇଥିଲେ ସୁଦ୍ଧା ଏଥିରେ ଅଧିକ ସୁଧାର ପାଇଁ ସମ୍ଭାବନା ରହିଛି ।ଆକାଂକ୍ଷୀ ଜିଲ୍ଲା ଓ ସେମାନଙ୍କର ପ୍ରତିପକ୍ଷ ସାଧାରଣ ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ତୁଳନାରୁ ଜଣାପଡ଼ିଥାଏ ଯେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଅଣ-ଆକାଂକ୍ଷୀ ଜିଲ୍ଲା ତୁଳନାରେ ବେଶ୍ ଆଗେଇ ପାରିଛନ୍ତି । ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଏବଂ ଆର୍ôଥକ ଅନ୍ତର୍ଭୂକ୍ତିକରଣ କ୍ଷେତ୍ରରେ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଦକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ୯.୬% ପ୍ରସବ ଘରେ ସମ୍ପାଦିତ ହୋଇଛି; ଗୁରୁତର ଆନିମିଆ ଥିବା ୪.୫%ରୁ ଅଧିକ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରାଯାଇଛି; ୪.୮% ଡାଇରିଆ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରାଯାଇପାରିଛି; ୪.୫%ରୁ ଅଧିକ ଗର୍ଭବତୀଙ୍କୁ ଗର୍ଭଧାରଣର ପ୍ରଥମ ତିନି ମାସ ମଧ୍ୟରେ ପ୍ରସବ ପୂର୍ବବର୍ତ୍ତୀ ଚିକିତ୍ସା ପ୍ରଦାନ କରାଯାଇପାରିଛି । ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ଯଥାକ୍ରମେ ୪୦୬ ଓ ୮୪୭ରୁ ଅଧିକ ପଞ୍ଜୀକରଣ ଏବଂ ୧୫୮୦ରୁ ଅଧିକ ଆକାଉଂଟ ଖୋଲାଯାଇପାରିଛି । ଆକାଂକ୍ଷୀ ଜିଲ୍ଲାର ସବୁଠୁ ଶ୍ରେଷ୍ଠ ପଦକ୍ଷେପ ଭାବେ ୟୁଏନଡିପି ପକ୍ଷରୁ ‘ମାଲେରିଆ ମୁକ୍ତ ବସ୍ତର ଅଭିଯାନ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ବିଜାପୁର ଓ ଦନ୍ତେୱାଡ଼ା ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣକୁ ଯଥାକ୍ରମେ ୭୧% ଓ ୫୪% ପର୍ଯ୍ୟନ୍ତ ହ୍ରାସ କରାଯାଇପାରିଛି ।