ନୂଆଦିଲ୍ଲୀ, ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସହାୟତା ରୂପେ ମାଗଣାରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ଟିକାକରଣ, ପରୀକ୍ଷଣ, ଚିହ୍ନଟ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଂଶବିଶେଷ ।କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ଯ୍ୟାୟ-୩ ମେ ୦୧, ୨୦୨୧ରୁ ଆରମ୍ଭ ହୋଇଛି ।ଏହି ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରୀ ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକାର ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।ବର୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୫.୬୦ କୋଟି ଡୋଜରୁ ଅଧିକ (୨୫,୬୦,୦୮,୦୮୦) ଟିକା ଉପଲବ୍ଧ କରାଇଛନ୍ତି ।ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୪,୪୪,୦୬,୦୯୬ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳମାନଙ୍କ ନିକଟରେ ୧.୧୭ କୋଟି (୧,୧୭,୫୬,୯୧୧) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି ।ଏହା ବ୍ୟତୀତ, ବର୍ତମାନ ୩୮ ଲକ୍ଷରୁ ଅଧିକ (୩୮,୨୧,୧୭୦) ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକ ଏହାକୁ ଗ୍ରହଣ କରିବେ ।