ପୁରୀ, ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ତିନି ରଥର ୪୨ଟି ଚକ ନିର୍ମାଣ ହୋଇଥାଏ । ସେଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ଟି ଚକ ଓ ୮ଟି ଅଖ ସଂଯୋଗ ହୋଇଥାଏ । ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ୧୪ଟି ଚକ ଓ ୭ଟି ଅଖ ସଂଯୋଗ କରାଯାଇଥାଏ । ସେହିପରି ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୧୨ଟି ଚକ ଓ ୬ଟି ଅଖ ଏହିପରି ପ୍ରଥମ ପର୍ଯ୍ୟାୟରେ ୪୨ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଅଖ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଚକ ସହ ଅଖ ସଂଯୁକ୍ତ ହୋଇ ତିନି ରଥ ପାଇଁ ତିନୋଟି ପୃଥକ୍ ପୃଥକ୍ ସ୍ଥାନରେ ଡେରାଯିବ । ଭଉଁରୀ ଦିନ ପ୍ରତି ରଥର ଦୁଇଟି ଚକ ସହିତ ଅଖ ସଂଯୁକ୍ତ ହୋଇ ଡେରାଯାଇଥିଲା । ଚକ ଅଖ ଡେରାଗଲା ପରେ ଅଖ ଉପରେ ଦଣ୍ଡା ବାଡିଆ କାର୍ଯ୍ୟ ହେବ । ଆଜି ଚକ ସହ ଅଖ ସଂଯୁକ୍ତ କରାଯାଉଛି । ତିନି ରଥର ବେସ୍ ବା ମୂଳଭୂଇଁ ନିର୍ମାଣ ପରେ ଚାରି ନାହାକା ଉଠିବ । ସ୍ନାନ ପୂର୍ଣ୍ଣମୀ ଦିନ ପ୍ରତି ରଥର ଚାରି ନାହାକା ରଥରେ ସଂଯୁକ୍ତ କରାଯିବ । ରଥ ଖଳାରେ ନିୟୋଜିତ ସମସ୍ତ ସେବାୟତଙ୍କ ଥର୍ମାଲ୍ ସ୍କ୍ରିନିଂ ଓ ସମ୍ପୃକ୍ତ ଅଂଚଳକୁ ସାନିଟାଇଜ୍ କରାଯାଇଛି । ଦୋଳବେଦି କୋଣରେ ଅସ୍ଥାୟୀ କମାର ଶାଳରେ ତିନି ରଥ ପାଇଁ ଆବଶ୍ୟକ ବିଭିନ୍ନ ସାଇଜ୍ ର କଂଟା ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଜାରୀ ରହିଛି । କମାର ବା ଓଝା ସେବକ ମାନେ କଂଟା ନିର୍ମାଣରେ ନିମଗ୍ନ ରହିଛନ୍ତି ।