-
ତିନିରଥର ୪୪ ଗୋଟି କୋଣ ଗୁଜରେ ସିଂହବିରାଳ ରୂପ ଖୋଦେଇ ଶେଷ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ତିନି ରଥର ୪୨ ଚକ ନିର୍ମାଣ ଶେଷ |ତିନିରଥର ଚେସିସ ବା ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ ,ଦଣ୍ଡା ଫ୍ରେମରେ ସଂଯୋଗ ହୋଇଥିବା ଅଂଶ ଗୁଡିକର ନମ୍ବରିଂ ହୋଇ ଖୋଲାଯିବ ।
(ରଥର ପ୍ରଥମ ପର୍ଯ୍ୟାୟ ଚକ ,ଅଖ ନିର୍ମାଣ ପରେ, ଅଖ ଉପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ରଥର ଦଣ୍ଡାଫ୍ରେମ,ଏହି ଦଣ୍ଡା ଫ୍ରେମ ରେ ରଥର ସମସ୍ତ ଭାର ବହନ କରେ, ରଥରେ ଦଣ୍ଡା ଫ୍ରେମ ସେଟିଙ୍ଗ ସମୟରେ ଯେପରି ସମସ୍ୟା ନ ଉପୁଜେ ତା ପୂର୍ବରୁ ବାହାରେ ଦଣ୍ଡା ଫ୍ରେମ ପ୍ରସ୍ତୁତି ସମୟରେ ସତର୍କତା ପୂର୍ବକ ରଥ ତ୍ରୟର ଭିନ୍ନ ଭିନ୍ନ ମାପ ପ୍ରକାରେ ରଥ ମୂଳଦୁଆ କାର୍ଯ୍ୟ ଶେଷପରେ ନମ୍ବରିଂ କରାଯାଏ)
ଦେବଦଳନ ରଥର ଦୁଇଟି ଗରଗରା ଚଉପଟ ପରେ ବିନ୍ଧ କାମ ଶେଷ ହୋଇଥିବା ବେଳେ ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଁଏ ଗରଗରା ଚଉପଟ ସରିବିନ୍ଧ ଖୋଦେଇ ଚାଲୁ ରହିଛି ।
ତିନିରଥର ପାଞ୍ଚୋଟି ଲେଖାଁଏ ଯୋଖା ର ନିର୍ମାଣ ଆରମ୍ଭ ହୋଇଛି |ତାଳଧ୍ଵଜ ରଥ,ନନ୍ଦିଘୋଷ ରଥ ପାଇଁ ୧୬ ଟି ଲେଖାଁଏ ଯୋଖା ଏବଂ ଦେବଦଳନ ରଥର ୧୨ ଯୋଖା ନିର୍ମାଣ ହେବ ।
ରୂପକାର ସେବକ ମାନେ ତିନିରଥର ୪୪ ଗୋଟି କୋଣ ଗୁଜ ରେ ସିଂହବିରାଳ ରୂପ ଖୋଦେଇ ଶେଷ କରି ‘ନାଟ ଗୋଡ’ ରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ତିନିରଥ ପାଇଁ ୮ ଟି ଲେଖାଁଏ ୨୪ ଗୋଟି ନାଟ ଗୋଡ଼ ପ୍ରସ୍ତୁତ ହେବ |ଆଜି ପ୍ରତି ରଥ
ପାଇଁ ୫ଟି ଲେଖାଁଏ ନାଟ ଗୋଡ଼ରେ ଗନ୍ଧର୍ବ ବା ଅସୁର ର ହସ୍ତରେ ଧନୁ,ଛୁରୀ ଧାରଣ ପୂର୍ବକ ଦୁଇ ଗୋଡ଼ ଛନ୍ଦ ମୁଦ୍ରର ରୂପ ନାଟ ଗୋଡ଼ରେ ଅଙ୍କନ ପୂର୍ବକ ଖୋଦେଇ କାମ
ଆରମ୍ଭ କରିଛନ୍ତି ।
ଦୋଳବେଦୀ ଠାରେ କରତି ସେବକ ମାନେ ନନ୍ଦିଘୋଷ ରଥର
ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷ କରିଛନ୍ତି | ଆସନ୍ତା କାଲି ଦେବଦଳନ ରଥର ପୋଲ ଗୟଳ ଚିରଟ ପାଇଁକାର୍ଯ୍ୟ ଆରମ୍ଭ ହେବ ।
ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ, ତିନିରଥ ମହାରଣା ମାନେ ଦେଇଥିବା ୩ ଟି କୁରାଢ଼ୀ,୬ଟି ବାରିସୀ, ୪ ଟି ନିହାଣ ପଜେଇ ଯୋଗାଇଲା ପରେ ରଥ ପାଇଁ ୧୨ଏମ.ଏମ ର ଅଗ ପାତେଳି କଣ୍ଟାରୁ ତିନି ରଥ ପାଇଁ ୯୦ଟି, ଯୋଖା , ଏବଂ ଗୟଳ , ଛନ୍ଦାଗୟଳ , କଇଁଚି ପାଇଁ ୧୬ ଏମ.ଏମ କଣ୍ଟାରୁ ୪୪ ଗୋଟି ନିର୍ମାଣ କରିଛନ୍ତି |