ଧର୍ମଶାଳା – ବହୁ ଚର୍ଚ୍ଚିତ ତଳଗଡ (ପଥୁରିଆ) ସାହି ହତ୍ୟା ଘଟଣାରୁ ଆଜି ପରଦା ଉଠାଇଛି ଜେନାପୁର ପୁଲିସ । ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଂଚାୟତର ବଳରାମପୁର ହାଇସ୍କୁଲ ନିକଟସ୍ଥ ଆର.ଡି ରାସ୍ତା କଡରେ ଗତ ୧୩ ତାରିଖ ଅପରାହ୍ନରେ ହୋଇଥିବା ବହୁ ଚର୍ଚ୍ଚିତ ଦଳିତ ନେତା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଜିଲା ପୁଲିସ । ଏସପି ଚରଣ ସିଂ ମିନାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅପରାହ୍ନରେ ବଡଚଣା ଥାନାରେ ଯାଜପୁର ରୋଡ ଏସଡିପିଓ କେଦାରନାଥ ସାହୁ ଅନୁଷ୍ଠିତ ଏକ ସାମ୍ବଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ଘଟଣାରେ ଜେନାପୁର ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାଯାଇଛି ।
ସୂଚନା ମୁତାବକ, ଏହି ଥାନା ଅଧିନସ୍ଥ ତାଳଜଙ୍ଗ ପଂଚାୟତର ତଳଗଡ ପଥୁରିଆ ସାହିର ଦଳିତ ନେତା ପ୍ରଦିପ ମଲିକ ଦିନ ଦ୍ୱିପ୍ରହରରେ ସାଇକେଲରେ ଘାସ ନେଇ ଘରକୁ ଯାଉଥିବା ବେଳେ ବଳରାମପୁର ହାଇସ୍କୁଲ ନିକଟସ୍ଥ ଆର.ଡି. ରାସ୍ତା କଡରେ ଓଆର୦୯ଜି ୧୬୫୩ ନମ୍ବର ବିଶିଷ୍ଟ ଟ୍ରିପର ଗାଡି ତାଙ୍କୁ ଧକ୍କା ଦେଇଥିଲା । ପ୍ରଦିପ ଘଟଣାସ୍ଥଳରେ ପଡିଯିବାରୁ ଅଭିଯୁକ୍ତ ମାନେ ତାଙ୍କୁ ଠେଙ୍ଗାରେ ପିଟି ପିଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ । ଘଟଣାସ୍ଥଳରୁ ପୁଲିସ ଦୁଇଟି ରକ୍ତ ଭିଜା ଠେଙ୍ଗା, ଭଙ୍ଗା ସାଇକେଲ ଓ ଟ୍ରିପରକୁ ଜବତ କରି ତଦନ୍ତ ଚଳାଇଥିଲା । ଏ ସମ୍ବନ୍ଧରେ ମୃତ ପ୍ରଦିପଙ୍କ ପତ୍ନୀ ପ୍ରମିଳା ଜେନାପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ପ୍ରଥମେ ଜଣକୁ ଅଟକ ରଖି ପଚରାଉଚରା କରିଥିଲା । ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ଜେନାପୁର ଥାନା ଅଧିନସ୍ଥ ପଥୁରିଆ ସାହିର ପଡୋଶୀ ଶ୍ରୀଧର ମଲିକ ଓ ତା’ର ସାନ ଭାଇ ଜଳଧର ମଲିକ ପ୍ରଦିପଙ୍କୁ ଠେଙ୍ଗାରେ ନିସ୍ତୁକ ପିଟିବା ସହ ଟିପ୍ପର ଚଢାଇ ହତ୍ୟା କରିଥିବା ସମ୍ପର୍କରେ ପୁଲିସ ନିକଟରେ ସ୍ୱିକାର କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କେଦାର ନାଥ ସାହୁ କହିଛନ୍ତି । ଏହି ହତ୍ୟା ଘଟଣା ପଛରେ ଉଭୟଙ୍କ ମଧ୍ୟରେ ଦିର୍ଘଦିନ ଧରି ଲାଗି ରହିଥିବା ପୂର୍ବ ବିବାଦକୁ ଦାୟୀ କରାଯାଇଛି । ସେହି ଗ୍ରାମର ରାମଚନ୍ଦ୍ର ମଲିକଙ୍କ ସହିତ ଶ୍ରୀଧର ଓ ଜଳଧର ପୂର୍ବରୁ ଗଣ୍ଡଗୋଳ କରିଥିଲେ । ସେହି ଗଣ୍ଡଗୋଳକୁ ପ୍ରଦିପ ବିରୋଧ କରିଆସୁଥିଲେ । ବିରୋଧ କରିବାରୁ ଦୁଇ ଅଭିଯୁକ୍ତ ଉତ୍ୟକ୍ତ ହୋଇ ପ୍ରଦୀପକୁ ହତ୍ୟା କରିଥିବା ପୁଲିସ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି । ହତ୍ୟାକାରୀ ମାନେ ହତ୍ୟାକରି ଏହାକୁ ଦୁର୍ଘଟଣାର ରୂପ ଦେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ପଞ୍ଝାରୁ ଖସି ପାରିନଥିଲେ । ପୁଲିସ ଶ୍ରୀଧରକୁ ସମ୍ବଲପୁର ଜିଲା ରେଢାଖୋଲ ଓ ଜଳଧରକୁ ଖୋର୍ଦ୍ଧା ଜିଲା ତାପଙ୍ଗରୁ ଗିରଫ କରିଥିବା ପ୍ରକାଶ କରିଛି । ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ କେସ ନମ୍ବର ୨୪୦/୧୯ରେ ଏକ ମାମଲା ରୁଜୁକରି ଦଫା ୩୦୨,୨୦୧,୩୪ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ପଠାଇଥିବା ଏସଡିପିଓ କେଦାର ନାଥ ସାହୁ ପ୍ରକାଶ କରିଛନ୍ତି ।