ବାରିପଦା– ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ପୁରୁଣାପାଣି ନିକଟରେ ଆଜି ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ନାବାଳକ ସ୍କୁଲ ଛାତ୍ରର ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜୁନ ୧୦ ସକାଳ ପ୍ରାୟ ସାଢ଼େ ୫ ସମୟରେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ତମାଳବନ୍ଧ ଗ୍ରାମର ସୁମନ୍ତ ଗିରିଙ୍କ ପୁଅ ଓମଶ୍ରୀ ଗିରି(୧୪) ପରିବା କିଣିବା ପାଇଁ ସାଇକେଲରେ ରାଇରଙ୍ଗପୁର ଆସୁଥିବା ବେଳେ ପୁରୁଣାପଣି ଛକ ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ସାଇକେଲକୁ ଧକ୍କା ଦେବାରୁ ଓମଶ୍ରୀ ତଳେ ପଡ଼ିଯାଇଥିଲେ ଓ ଟ୍ରକଟି ତାଙ୍କ ଉପରଦେଇ ମାଡ଼ି ଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ଫେରାର ହୋଇଯାଇଥିଲା । ଉତ୍ୟକ୍ତ ଲୋକମାନେ ଓମଶ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସାଙ୍ଗକୁ ଫେରାର ହୋଇଥିବା ଲୁହାପଥର ବୋଝେଇ ଟ୍ରକକୁ ଜବତ କରିବା ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ୨୨୦ ନମ୍ବର ଜାତୀୟ ରାଜପଥରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଯାନବାହନ ଆଦି ଅଟକି ରହିଥିଲା । ଖବର ପାଇ ରାଇରଙ୍ଗପୁର ଏସଡ଼ିପିଓ ଗାୟତ୍ରୀ ପ୍ରଧାନ ଓ ରାଇରଙ୍ଗପୁର ଟାଉନ ଥାନା ଅଧିକାରିଣୀ ରେଣୁବାଳା ସାହୁ ଘଟଣାସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ଆସି ପହଁଞ୍ଚିଥିଲେ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବାର ଘୋଷଣା କରାଯିବା ପରେ ରାସ୍ତା ଅବରୋଧ ହଟିଥିଲା । ଏହାପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହିତ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରକଟିକୁ ଧରିବାରେ ପୁଲିସ ସଫଳ ହୋଇପାରିନଥିବାର ଜଣାପଡ଼ିଛି ।