ଅଧିକାଂଶ ରାଜ୍ୟ ଟିକାକରଣ ରଣନୀତିକୁ ବଦଳାଇବା ସମ୍ପର୍କରେ ପୁନର୍ବିଚାର ପାଇଁ ଦାବି କରିବା ସହିତ ମେ ପହିଲା ପୂର୍ବରୁ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ରାଜ୍ୟଗୁଡ଼ିକ ପାଖରେ ଥିବା ୨୫ ପ୍ରତିଶତ ଟିକାକରଣ କାର୍ଯ୍ୟ ବର୍ତର୍ମାନ ଭାରତ ସରକାର ବହନ କରିବେ । ଏହାକୁ ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ଦୁଇ ସପ୍ତାହ ମଧ୍ୟରେ ନୂଆ ମାର୍ଗଦର୍ଶିକା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବେ । ପ୍ରଧାନମନ୍ତ୍ରୀ ଆହୁରି ଘୋଷଣା କରିଥିଲେ ଯେ ଜୁନ ୨୧ ତାରିଖ ପରଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଭାରତୀୟ ନାଗରିକମାନଙ୍କୁ ଭାରତ ସରକାର ମାଗଣାରେ ଟିକା ଯୋଗାଇ ଦେବେ । ଏଥିପାଇଁ ଭାରତ ସରକାର ଟିକା ଉତ୍ପାଦନକାରୀମାନଙ୍କ ଠାରୁ ୭୫ ପ୍ରତିଶତ ଟିକା କିଣିବା ସହିତ ସେଗୁଡ଼ିକୁ ମାଗଣାରେ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବେ । କୌଣସି ରାଜ୍ୟ ସରକାରଙ୍କୁ ଟିକା ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ବର୍ତର୍ମାନ ସୁଦ୍ଧା, କୋଟି କୋଟି ଲୋକ ମାଗଣା ଟିକା ପାଇସାରିଛନ୍ତି, ଏବେ ୧୮ ବର୍ଷ ବୟସ୍କ ନାଗରିକମାନେ ଏହି ନିଃଶୁଳ୍କ ଟିକାକରଣରେ ସାମିଲ ହୋଇପାରିବେ । ସମସ୍ତ ନାଗରିକମାନଙ୍କୁ ଭାରତ ସରକାର ମାଗଣାରେ ଟିକା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।
ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଘରୋଇ ଡାକ୍ତରଖାନାଗୁଡ଼ିକ ସିଧାସଳଖ ୨୫ ପ୍ରତିଶତ ଟିକା କିଣିବା ପ୍ରକ୍ରିୟା ଜାରି ରହିବ । ଟିକାର ନିର୍ଦ୍ଧାରିତ ମୂଲ୍ୟ ଛଡ଼ା ଘରୋଇ ଡାକ୍ତରଖାନାଗୁଡ଼ିକ ଯେପରି ମାତ୍ର ୧୫୦ ଟଙ୍କା ସେବା ଶୁଳ୍କ ଆଦାୟ କରିବେ ତାହା ରାଜ୍ୟ ସରକାରମାନେ ସୁନିଶ୍ଚିତ କରିବେ ।
ଆହୁରି ଏକ ବଡ଼ ଘୋଷଣାକ୍ରମେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀପାବଳି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ସମ୍ପ୍ରସାରଣ କରାଯିବା ଲାଗି ନିଷ୍ପର୍ତି ନିଆଯାଇଛି । ଏହାର ଅର୍ଥ ନଭେମ୍ବର ପର୍ଯ୍ୟନ୍ତ, ୮୦ କୋଟି ଲୋକ ନିର୍ଦ୍ଧାରିତ ପରିମାଣର ଖାଦ୍ୟଶସ୍ୟ ପ୍ରତ୍ୟେକ ମାସ ମାଗଣାରେ ପାଇପାରିବେ । ଏହି ମହାମାରୀ ସମୟରେ, ସରକାର ସେମାନଙ୍କ ବିପଦ ବେଳର ବନ୍ଧୁ ଭାବେ ଗରିବ ଲୋକମାନଙ୍କ ସହିତ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଦ୍ୱିତୀୟ ଲହରୀ ସମୟରେ ଏପ୍ରିଲ ଓ ମେ ମାସରେ ମେଡ଼ିକାଲ ଅକ୍ସିଜେନର ଅଭୂତପୂର୍ବ ଚାହିଦା ବିଷୟରେ ସ୍ମରଣ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆହ୍ୱାନକୁ ମୁକାବିଲା କରିବା ଲାଗି ସରକାରଙ୍କ ସମସ୍ତ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ କରାଯାଇଥିଲା । ପୃଥିବୀ ଇତିହାସରେ ଏଭଳି ସ୍ତରର ମେଡ଼ିକାଲ ଅକ୍ସିଜେନ ଚାହିଦା କେବେ ଦେଖାଯାଇନଥିଲା ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରରେ, ଟିକା ଉତ୍ପାଦନ କରୁଥିବା କମ୍ପାନୀ ଓ ରାଷ୍ଟ୍ରଗୁଡ଼ିକ ସାରା ବିଶ୍ୱରେ ଟିକାର ଯେତିକି ଚାହିଦା ରହିଛି ତା’ଠାରୁ ବହୁ ପଛରେ ରହିଛନ୍ତି । ଏଭଳି ପରିସ୍ଥିତିରେ, ଭାରତ ପାଇଁ ଭାରତରେ ପ୍ରସ୍ତୁତ ଟିକା ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଧାନମନ୍ତ୍ରୀ ଅତୀତ କଥା ମନେ ପକାଇ କହିଥିଲେ ଯେ, ଆଗରୁ ବିଦେଶରେ ଟିକା ବିକଶିତ ହେବାର ପ୍ରାୟ ଦଶନ୍ଧି ପରେ ଭାରତ ଟିକା ପାଉଥିଲା । ଏହାର ଫଳସ୍ୱରୂପ ଅତୀତରେ ଏପରି ପରିସ୍ଥିତି ସୃଷ୍ଟି ହେଉଥିଲା ଯେ ଅନ୍ୟ ଦେଶଗୁଡ଼ିକ ଟିକାକରଣ ଶେଷ କରିସାରିଲା ବେଳକୁ ଭାରତ ଟିକାକରଣ ଆରମ୍ଭ କରିପାରୁନଥିଲା । ଶ୍ରୀ ମୋଦୀ କହିଥିଲେ ଯେ ମିଶନ ମୋଡରେ ଅଭିଯାନ ଆରମ୍ଭ କରି ଆମେ ୫-୬ ବର୍ଷରେ ଟିକାକରଣ ପ୍ରସାରକୁ ୬୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଲୁ । ଆମେ କେବଳ ଟିକାକରଣର ଗତି ବଢ଼ାଇଲୁ ନାହିଁ ବରଂ ଏହାର ପରିସରକୁ ମଧ୍ୟ ବିସ୍ତାରିତ କଲୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ, ସ୍ପଷ୍ଟ ଉଦ୍ଦେଶ୍ୟ, ନୀତି ଏବଂ ନିରନ୍ତର କଠିନ ପରିଶ୍ରମ ଜରିଆରେ ଭାରତ ସମସ୍ତ ଆଶାଆଶଙ୍କାକୁ ଦୂର କରୁଛି, କେବଳ ଗୋଟିଏ ନୁହେଁ ଦେଶରେ ଦୁଇ ଦୁଇଟି ଭାରତ ନିର୍ମିତ କୋଭିଡ ଟିକା ପ୍ରଚଳନ କରାଯାଇପାରିଛି । ଆମର ବୈଜ୍ଞାନିକମାନେ ସେମାନଙ୍କର ସାମର୍ଥ୍ୟକୁ ପ୍ରମାଣିତ କରିଛନ୍ତି । ଆଜି ପର୍ଯ୍ୟନ୍ତ, ୨୩ କୋଟିରୁ ଅଧିକ ଟିକା ଡୋଜ୍ ଦେଶରେ ଦିଆଯାଇସାରିଛି ।
ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇ କହିଥିଲେ ଯେ ଦେଶରେ ମାତ୍ର କେତେ ହଜାର କୋଭିଡ-୧୯ ମାମଲା ଥିବା ବେଳେ ଟିକା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା । ଏହାଛଡ଼ା ଟିକା କମ୍ପାନୀଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ସହିତ ଗବେଷଣା ଓ ବିକାଶ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମହତ ପ୍ରୟାସ ଏବଂ କଠିନ ପରିଶ୍ରମ କାରଣରୁ ଆଗାମୀ ଦିନରେ ଟିକା ଯୋଗାଣ ବୃଦ୍ଧି ପାଇବ । ସେ ଆଜି କହିଥିଲେ ଯେ ଏବେ, ଦେଶରେ ୭ଟି କମ୍ପାନୀ ବିଭିନ୍ନ ପ୍ରକାରର ଟିକା ଉତ୍ପାଦନ କରୁଛନ୍ତି । ଆହୁରି ତିନୋଟି ଟିକାର ପରୀକ୍ଷଣ ବିକଶିତ ସ୍ତରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପିଲାମାନଙ୍କ ପାଇଁ ଓ ଗୋଟିଏ ‘ନାଜାଲ ଭ୍ୟାକ୍ସିନ’ର ପରୀକ୍ଷଣ ଜାରି ରହିଥିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।
ଟିକାକରଣ ସମ୍ପର୍କରେ ବିଭିନ୍ନ ମହଲରେ ପ୍ରକାଶ ପାଇଥିବା ଭିନ୍ନ ଭିନ୍ନ ବିବୃତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଧ୍ୟାନ ଆକର୍ଷଣ କରିଥିଲେ । ସେ କହିଥିଲେ, କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ, ରାଜ୍ୟଗୁଡ଼ିକ ପାଇଁ ବିକଳ୍ପର ଅଭାବ ଏବଂ କେନ୍ଦ୍ର ସରକାର ସବୁ ନିଷ୍ପତ୍ତି କାହିଁକି ନେଉଛନ୍ତି ସେ ସମ୍ପର୍କରେ ପ୍ରଶ୍ନ ଉଠାଯାଉଛି । ଲକଡାଉନରେ ନମନୀୟତା ଏବଂ ଗୋଟିଏ ଆକାର ସମସ୍ତଙ୍କ ପାଇଁ ଅନୁକୂଳ ନୁହେଁ ବୋଲି ତର୍କ ଦିଆଯାଉଛି । ଶ୍ରୀ ମୋଦୀ କହିଥିଲେ ଯେ ଜାନୁଆରୀ ୧୬ ତାରିଖ ଠାରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଭାରତର ଟିକାକରଣ କାର୍ଯ୍ୟକ୍ରମ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହୋଇଥିଲା । ସମସ୍ତଙ୍କୁ ମାଗଣା ଟିକାକରଣ କରାଯାଉଥିଲା ଏବଂ ନିଜର ପାଳି ପଡ଼ିଲେ ଲୋକମାନେ ଶୃଙ୍ଖଳାର ସହିତ ଟିକା ଦେବା ଲାଗି ଆଗେଇ ଆସୁଥିଲେ । ଏହା ମଧ୍ୟରେ ଟିକାକରଣର ବିକେନ୍ଦ୍ରୀକରଣ ପାଇଁ ଦାବି ଉଠିଲା, ନିର୍ଦ୍ଦିଷ୍ଟ ବୟସ ବର୍ଗର ଲୋକମାନଙ୍କୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ଉତ୍ଥାପନ କରାଗଲା । ଅନେକ ପ୍ରକାରର ଚାପ ପ୍ରୟୋଗ କରାଗଲା ଏବଂ ଗଣମାଧ୍ୟମର ନିର୍ଦ୍ଦିଷ୍ଟ ବର୍ଗ ଏହାକୁ ଏକ ଅଭିଯାନ ଆକାରରେ ଆଗେଇ ନେଲେ ।
ଟିକାକରଣ ସମ୍ପର୍କରେ ଗୁଜବ ଖେଳାଉଥିବା ଲୋକମାନଙ୍କ ଠାରୁ ସତର୍କ ରହିବା ଲାଗି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ । ଏପରି ଲୋକମାନେ ଦେଶବାସୀଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ଏବଂ ସେମାନଙ୍କ ଠାରୁ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।