ଚଳିତ ବର୍ଷ ଜୁଲାଇ ୧୨ ତାରିଖରୁ ପବିତ୍ର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହାକୁ ଆଖିରେ ରଖି ଶ୍ରୀମନ୍ଦିରରେ ହେବାକୁ ଥିବା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ସଂଯୋଜନା ନିମନ୍ତେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା, ଓଡ଼ିଶା ସରକାରଙ୍କ ପୂର୍ତ୍ତ ଓ ନିର୍ମାଣ ବିଭାଗ ତଥା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମକର୍ତ୍ତା ଗଣ ଯୋଗ ଦେଇଥିଲେ। ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଅତିରିକ୍ତ ମହା ନିର୍ଦ୍ଦେଶକ ଶ୍ରୀ ଜାନୱହିଜ ଶର୍ମା ଓ ବୈଜ୍ଞାନିକ ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ଡଃ ରାମଜୀ ନିଗମ ପ୍ରତିନିଧିତ୍ୱ କରିଥିଲେ। ଖ୍ୟାତି ସମ୍ପନ୍ନ ବିଶେଷଜ୍ଞ ଯଥା ଖଡ଼ଗପୁର ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ପ୍ରତିଷ୍ଠାନର ଭୂତପୂର୍ବ ପ୍ରଫେସର୍ ଓ ବିଭାଗୀୟ ମୁଖ୍ୟ ଏବଂ ବୈଷୟିକ କୋର୍ କମିଟିର ମୁଖ୍ୟ ଡଃ ଏ . ପି . ଗୁପ୍ତା ତଥା ଶ୍ରୀ ଡି . ପି . ମିଶ୍ର , ଶ୍ରୀ ବିନ୍ଧେଶ୍ଵର ପାତ୍ର ଏବଂ ଡଃ ବି. କେ ରଥ ପ୍ରମୁଖ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଗର୍ଭଗୃହ ତଥା ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ହେବାକୁ ଥିବା ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କୋଭିଡ଼ ନିୟମର ଅନୁପାଳନ ପୂର୍ବକ ସମ୍ପନ୍ନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମିଳିତ ସହଯୋଗରେ ଏକ ଅଣୁ କାର୍ଯ୍ୟ ଯୋଜନା ପ୍ରସ୍ତୁତି ନିମନ୍ତେ ବୈଠକରେ ସ୍ଥିର କରାଗଲା। ଶ୍ରୀ ମନ୍ଦିର ପାର୍ଶ୍ୱ ମନ୍ଦିର ମାନଙ୍କର ରକ୍ଷଣାବେକ୍ଷଣ ପାଇଁ ଏକ ବ୍ୟାପକ ପଞ୍ଚବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।
Related Stories
November 24, 2024
November 24, 2024