ଗଞ୍ଜାମ, ବେଆଇନ ଭାବେ ଚାଲିଥିବା ମଦ କାରବାରକୁ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ଉ ଜାରୀ ରହିଛି । ବ୍ରହ୍ମପୁର ଅବକାରୀ ବିଭାଗର ଏକ ଟିମ୍ ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷି ନିକଟସ୍ଥ କିଆ ଜଙ୍ଗଲରେ ଚାଲିଥିବା ଏକ ବେଆଇନ ଦେଶି ମଦ ଭାଟିକୁ ଠାବ କରିଛି । ସେଠାରୁ ବିପୁଳ ପରିମାଣର ମଦ ଜବତ କରାଯିବା ସହ ମଦ ପ୍ରସ୍ତୁତ ନିମନ୍ତେ ରଖାଯାଇଥିବା ପୋଚକୁ ନଷ୍ଟ କରାଯାଇଛି । ଲକ୍ ଡାଉନ୍ ସମୟରେ ସହରରେ ବେଆଇନ ମଦ ବିକ୍ରୀ ଉପରେ ରୋକ୍ ଲଗାଇବାକୁ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଇନ୍ଧ୍ରାକ୍ଷି ନିକଟ ଏହି କିଆ ଜଙ୍ଗଲରେ ଚଢ଼ଉ କରିଥିଲେ । ଚଢ଼ଉ ସମ୍ପର୍କରେ ପୂର୍ବରୁ ଜାଣିପାରି ମଦ ମାଫିଆ ମାନେ ସେଠାରୁ ଚମ୍ପଟ୍ ମାରିଥିଲେ । ଅବକାରୀ ଟିମ୍ ଘଟଣାସ୍ଥଳରୁ ୨୮୫୯ କେଜି ଗୁଡ଼ ମିଶ୍ରିତ ପୋଚ ଜବତ କରିବା ସହ ଏହାକୁ ନଷ୍ଟ କରିଥିଲେ । ୪୦ ଲିଟର ଦେଶି ରନ୍ଧା ମଦ ଜବତ କରିଥିଲେ । ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରୀ ରହିଥିବା ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଏହି ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ବାଳକୃଷ୍ଣ ପରିଡ଼ା, ଏସଆଇ ଶ୍ରୀଧର ମହାନ୍ତି, ଏସଆଇ ବାଳକ ବିଶି, ଏସଆଇ ସନ୍ତୋଷ ସାହୁ ପ୍ରମୁଖ ସାମିଲ୍ ଥିଲେ ।