
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଂଚଳର ଜନୈକା ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ଓ ଗର୍ଭବତୀ କରାଇବା ମାମଲାର ଅଭିଯୁକ୍ତକୁ ପୋଲିସ ୨ ବର୍ଷ ପରେ ଗିରଫ କରିଛି । ଗିରଫ ଯୁବକ ଜଣକ ନାମ ରାମ ନାୟକ । ଏହା ସହ ରାମର ପରିବାର ଲୋକଙ୍କ ନାମରେ ମଧ୍ୟ ଦିଗପହଣ୍ଡି ଥାନାରେ ଏତଲା ହୋଇଥିବା ନେଇ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ୨ ବର୍ଷ ତଳେ ଅଭିଯୁକ୍ତ ରାମ ଉକ୍ତ ନାବାଳିକାକୁ ଗ୍ରାମରୁ ଅପହରଣ କରି ଭୁବନେଶ୍ୱର ନେଇଯାଇଥିଲା । ସେଠାରେ ଉଭୟେ ପତିପତ୍ନୀ ରୂପେ ଚଳୁଥିଲେ । ୯ ମାସ ତଳେ ନାବାଳିକା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ରାମ ନାବାଳିକାକୁ ସାଙ୍ଗରେ ଧରି ଘରକୁ ଫେରି ଆସିଥିଲା । ତେବେ ନାବାଳିକାକୁ ରାମର ବାପା ମା ନିର୍ଯାତନା ଦେବା ଆରମ୍ଭ କରିବା ସହ ବାପ ଘରୁ ଅଧିକ ଯୌତୁକ ଆଣିବା ପାଇଁ କହୁଥିଲେ । ଶାଶୂ ଘର ଲୋକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳିକା ଜଣକ ପୁତ୍ର ସନ୍ତାନ ସହ ଗତ ୨୪ ତାରିଖରେ ବାପଘରକୁ ଚାଲି ଆସିଥିଲେ । ଏହାପରେ ପୀଡ଼ିତା ନାବାଳିକାର ବାପା ବ୍ରହ୍ମପୁର ଛାଇଲ୍ଡ ଲାଇନ ସହ ଯୋଗାଯୋଗ କରିବା ପରେ କେନ୍ଦ୍ର ସଂଯୋଜକ ସାଇପ୍ରସାଦ ସାମଲ ଓ ଦିଗପହଣ୍ଡି ସିଡ଼ିପିଓ ପୁଷ୍ପାଞ୍ଜଳି ଶତପଥି ତାଙ୍କ ଘରେ ପହଂଚି ମାମଲାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଚାଇଲ୍ଡ ଲାଇନ୍ କର୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଦିଗପହଣ୍ଡି ଥାନାରେ ଏତଲା ଦିଆଯିବା ପରେ କେସ୍ ନଂ ୧୨୭/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଅଭିଯୁକ୍ତ ରାମକୁ ଶିଶୁ ଯୌନ ନିରୋଧ ଆଇନ ବଳରେ ପୋଲିସ ଗିରଫ କରିଛି ।