ଗଞ୍ଜାମ, ଗଞ୍ଜାମ ସହରରେ ଥିବା ଗ୍ରାସିମ୍ ଇଣ୍ଡଷ୍ଟ୍ରି ଏଣିକି ଋଷିକୂଲ୍ୟା ନଦୀର ଭୂପୃଷ୍ଠ ଜଳକୁ ବ୍ୟବହାର କରିପାରିବ । ଏନେଇ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗରୁ ମଞ୍ଜୁରୀ ମିଳିବା ସହ ଏକ ଚିଠି ମାଧ୍ୟମରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଗ୍ରାସିମ୍ ଇଣ୍ଡଷ୍ଟ୍ରି ଗଞ୍ଜାମ ନିକଟ କାଇଁଚପୁର ପଚାଂୟତର କଲ୍ୟାଣପୁର, ଜରାପଦରରେ ବୋରୱେଲ ସାହାଯ୍ୟରେ ପାଣି ନେଇ ଅଫିସର ଓ ଶ୍ରମିକ କଲୋନୀକୁ ଯୋଗାଇ ଆସୁଥିଲା । ପୂର୍ବରୁ ଜୟଶ୍ରୀ କେମିକାଲ ଥିବା ବେଳେ ଦୈନିକ ୧୫୦ ମେଟ୍ରିକ୍ ଟନ୍ କଷ୍ଟିକ୍ ସୋଢ଼ା ଉତ୍ପାଦନ ହେଉଥିଲା । ୨୦୧୬ ରେ ଏହି କାରଖାନାକୁ ଆଦିତ୍ୟ ବିର୍ଲା କିଣିଥିଲା । ପରବର୍ତି ସମୟରେ ଗ୍ରାସିମ୍ (ଆଦିତ୍ୟ ବିର୍ଲା) ଏହାର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ୨୦୧୭ ରେ ଏକ ଜନଶୁଣାଣି କରିଥିଲା । ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ପାଣିର ଅଭାବ ଥିବାରୁ ଋଷିକୂଲ୍ୟା ପାଣିକୁ ଆଣି ଏହାକୁ ଫିଲଟର କରିବା ପାଇଁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟରେ ଆବେଦନ କରିଥିଲା । ଋଷିକୂଲ୍ୟା ଜଳକୁ କୌଣସି ଆନିକଟ କରାଯାଇ ସଂରକ୍ଷଣ କରାଯାଇନଥିବା ଓ ଗଞ୍ଜାମ ବ୍ଲକର କୌଣସି ଚାଷଜମିରେ ଉପଯୋଗ ହେଉନଥିବାରୁ ସମସ୍ତ ଦିଗକୁ ତର୍ଜମା କରି ମନ୍ତ୍ରଣାଳୟ ପକ୍ଷରୁ ପାଣି ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଛି ।