ଟାଙ୍ଗୀ, ଚୋରା ବାଇକ୍ କିଣାକିବା ପଡିଲା ମହଙ୍ଗା । ଖୋରଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଘଟଣାରୁ ପ୍ରକାଶ, ଗତକାଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୁନାଖଳା ଅଞ୍ଚଳରେ ଯାନବାହାନ ଚେକିଂ କରୁଥିବାବେଳେ ଏକ ଚୋରା ନାଲି ରଙ୍ଗର ହିରୋ ସୁପର ସ୍ପ୍ଲେଣ୍ଡର ବାଇକ ନେଇ ଜଣେ ଟାଙ୍ଗୀ ଅଭିମୁଖେ ଯାତ୍ରା କରୁଥିବା ବିଶେଷ ସୂତ୍ରରୁ ଖବର ପାଇ ନାଚୁଣି ପୋଲିସ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏହାର ପିଛା କରି ସଲପଡ଼ିହ ଛକ ଠାରେ ବାଇକ୍ ଚାଳକକୁ କାବୁ କରି ନେଇଥିଲେ। ଅଭିଯୁକ୍ତ ଜଣକ ହେଉଛନ୍ତି ଟାଙ୍ଗୀ ଥାନା ରତନପୁର ଗ୍ରାମର ବାବୁଲି ବେହେରା (୩୮) । ଘଟଣାସ୍ଥଳରେ ଜବତ ବାଇକ ସମ୍ପର୍କରେ ପଚରାଉଚୁରା ସମୟରେ ଏହା ଏକ ଚୋରା ବାଇକ ବୋଲି ପୋଲିସ ଜାଣିବାକୁ ପାଇଥିଲା । ସମ୍ପୃକ୍ତ ମୋଟରସାଇକେଲରେ ଏକ ଡାଲା ଅଟୋର ନମ୍ବର ପ୍ଲେଟ ଲାଗିଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ବାବୁଲି ଗତ ବର୍ଷ ଚୋରା ମଟରସାଇକେଲ କାରବାରରେ ଚାନ୍ଦପୁର ପୋଲିସ ହାତରେ ଗିରଫ ହୋଇଥିଲା । ଅଧିକ ପଚରାଉଚରାରୁ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଟାଙ୍ଗୀ ଥାନା ଅଧୀନସ୍ଥ ନିମୁନିଆ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କୁ ବାବୁଲି ମାତ୍ର ୭ ହଜାର ୫ ଶହ ଟଙ୍କାରେ ଦୁଇ ବର୍ଷ ପୂର୍ବେ ଆଉ ୨ଟି ଚୋରା ବାଇକ୍ ବିକିଥିବାର ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା । କାଳ ବିଳମ୍ବ ନକରି ବାଣପୁର ଆଇଆଇସି ରଶ୍ମି ରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଫାଣ୍ଡି ଅଧିକାରୀ ନିମୁନିଆ ଗ୍ରାମରେ ଅଚାନକ ଚଢ଼ଉ କରି ଅଭିମନ୍ୟୁଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଚୋରା ବାଇକ୍ ମଧ୍ୟ ଜବତ କରିଛନ୍ତି । ଏ ନେଇ ବାଣପୁର ଥାନାରେ ୧୮୯/୨୧ ରେ ଏକ ମାମଲା ରୁଜ୍ଜୁ ହେବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ପ୍ରସ୍ତୁତ ଚାଲିଥିବା ସୂଚନା ମିଳିଛି ।