ବାରିପଦା, ବାତ୍ୟାରେ ଆଶ୍ରୟ ନେବା ପାଇଁ ଲୋକଙ୍କୁ ଡାକିଲେ । ଫଟୋ ବି ଉଠାଇଲେ, ମାତ୍ର କେବଳ ଏତିକିରେ କାମ ସାରିଦେଲେ ସ୍ଥାନୀୟ ପ୍ରଶାସନ ଓ ସରପଞ୍ଚ । ଏପରିକି ଆଦୌ ରନ୍ଧା ଖାଦ୍ୟ ଦିଆଯାଇନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ରିପୋର୍ଟରେ ଏହା ପ୍ରଦାନ କରାଯାଇଥିବା ଦର୍ଶାଯାଇଛି । ଏପରି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଶ୍ୟାମଖୁଣ୍ଟା ବ୍ଲକ ଖାଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଳ ଗ୍ରାମବାସୀ । ଏହି ଗ୍ରାମରେ ଥିବା ସରକାରୀ ଆଶ୍ରୟ ସ୍ଥଳକୁ ବାତ୍ୟା ୟାସ ପାଇଁ ମଙ୍ଗଳବାର ସନ୍ଧ୍ୟା ପୂର୍ବରୁ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ବ ଜନସାଧାରଣ ଆସିଥିଲେ । ଏମାନଙ୍କ ମଧ୍ୟରେ ଏକାଧିକ ଶିଶୁଙ୍କ ସହିତ ପ୍ରସୂତୀ ମହିଳା ମଧ୍ୟ ସାମିଲ ଥିଲେ । ବାତ୍ୟା ପୂର୍ବ ଦିନ ମଙ୍ଗଳବାର ଦିନ ସ୍ଥାନୀୟ ପିଇଓ ଏବଂ ସରପଞ୍ଚ ଆଶ୍ରୟ ସ୍ଥଳକୁ ଆସିଥିବା ସମସ୍ତଙ୍କର ଫଟୋ ଉଠାଇବା ସହିତ ମାସ୍କ ଆଦି ବଣ୍ଟନ କରିଥିଲେ । ଉକ୍ତ ରାତିରେ କେବଳ ସେମାନଙ୍କୁ ଚୁଡା ଗୁଡ଼ ଭଳି ଶୁଖିଲା ଖାଦ୍ୟ ଦିଆଯାଇଥିଲା । ରନ୍ଧା ଖାଦ୍ୟ ଦିଆଯାଇନଥିଲା । ବାତ୍ୟା ଦିନ ଅର୍ଥାତ ବୁଧବାର ଦିନ ପୂର୍ବାହ୍ନ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ଜନପ୍ରତିନିଧିଙ୍କ ଦେଖା ମିଳିନଥିଲା । ଶୁଖିଲା ଖାଦ୍ୟ କିମ୍ବା ରନ୍ଧା ଖାଦ୍ୟ ମଧ୍ୟ ମିଳିନଥିଲା । ଲୋକମାନେ ଏନେଇ ସ୍ଥାନୀୟ ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ବାତ୍ୟା ଛାଡି ଯାଇଛି । ତେଣୁ, ଆଶ୍ରୟସ୍ଥଳି ଛାଡି ଘରକୁ ପଳାଇବାକୁ ବିଡ଼ିଓ ଏବଂ ବରିଷ୍ଠ ଅଧିକାରୀ ସେମାନଙ୍କୁ କହିଥିବା ଲୋକଙ୍କୁ ଉତ୍ତର ଦେଇଥିଲେ । ତେବେ ବର୍ଷା ଏଵଂ ପବନ କାରଣରୁ ଲୋକମାନେ ଆଶ୍ରୟ କେନ୍ଦ୍ର ଛାଡି ଯିବାକୁ ମଙ୍ଗିନଥିଲେ । କେହି ନଶୁଣିବାରୁ ଲୋକମାନେ ପିଡ଼ି ଡ଼ିଆରଡିଏଙ୍କ ଜରୁରୀ ନମ୍ବର ଏବଂ ସ୍ଥାନୀୟ ବିଡ଼ିଓଙ୍କ ସହିତ ଯୋଗାଯୋଗ କରିଥିଲେ । ତେବେ ଏପରି କୌଣସି କଥା କୁହାଯାଇନଥିବା ବିଡିଓ ପ୍ରକାଶ କରିଥିଲେ । ଉପରୁ ନିର୍ଦେଶ ପାଇବା ପରେ ସ୍ଥାନୀୟ ସରକାରୀ ଅଧିକାରୀ ଉକ୍ତ ଆଶ୍ରୟ କେନ୍ଦ୍ରରେ ପହଁଚି ଲୋକଙ୍କୁ ତାଲିକା କରିବାକୁ କହି ଶୁଖିଲା ଖାଦ୍ୟ ବାଣ୍ଟିବାକୁ ଚେଷ୍ଟା କରିଥିଲେ । ମାତ୍ର ଆଦୌ ରନ୍ଧା ଖାଦ୍ୟ ପାଇନଥିବା ଏବଂ ସରକାରୀ ଅବହେଳାର ଶିକାର ହୋଇଥିବା ଅସନ୍ତୁଷ୍ଟ ଲୋକମାନେ ଏହାକୁ ବିରୋଧ କରିଥିଲେ । ସରକାରୀ ଅଧିକାରୀଙ୍କୁ ଏକ ପ୍ରକାର ଘେରାଉ କରିଥିଲେ । ଏନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ କୁଳିଅଣା ପୁଲିସ ପହଞ୍ଚି ସରକାରୀ ଅଧିକାରୀଙ୍କୁ ଉଦ୍ଧାର କରିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ମାତ୍ର ଗତକାଲି ଜିଲ୍ଲାସ୍ତରୀୟ ରିପୋର୍ଟରେ ଶ୍ୟାମଖୁଣ୍ଟା ବ୍ଲକର ୧୪ଟି ସ୍ଥାନରେ ସରକାରୀ ଆଶ୍ରୟ ସ୍ଥଳି ହୋଇଥିବା ବେଳେ ସମସ୍ତ କେନ୍ଦ୍ରରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ଉଲ୍ଲେଖ କରାଯାଇଛି । ଯାହାକି ଘଟଣାକୁ ଅଡୁଆ କରିଛି । ଆଦୋୖ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇନଥିଲେ ମଧ୍ୟ କିପରି ଏହା ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ସେନେଇ ଘୋଟାଲାର ଗନ୍ଧ ଆସିଛି ।
ଏନେଇ ବିଡିଓ ଜୟକୃଷ୍ଣ ପାତ୍ର କହିଛନ୍ତି ଯେ, ଏପରି ଅଭିଯୋଗ ନେଇ ତାଙ୍କୁ ବିଶେଷ କିଛି ଜଣାନାହିଁ । ନୋଡାଲ ଅଧିକାରୀ ତଥା ବ୍ଲକ ଜିପିଇଓ ଜେ ହାଁସଦା ସବିଶେଷ କହିପାରିବେ । ତେବେ ଏପରି ଅଭିଯୋଗ ଆସିଥିବା ସ୍ୱୀକାର କରିଛନ୍ତି ପିଡି ଡିଆରଡିଏ ଭବେଶ କୁମାର ନାୟକ । ଘଟଣା ସମ୍ପର୍କରେ ତଦନ୍ତ ହେବ ବୋଲି କହିଛନ୍ତି ଶ୍ରୀ ନାୟକ । ବାତ୍ୟା ସମୟରେ ମଧ୍ୟ ନିରାଶ୍ରୟ ଲୋକଙ୍କ ସହିତ ଏପରି ଖେଳକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏହାର ତ୍ୱରିତ ତଦନ୍ତ ସହିତ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ନେତା ଲକ୍ଷ୍ମୀଧର ହାବଡା ।