ନିମାପଡା – ପ୍ରତିହିଂସାପରାୟଣ ହୋଇ ନିମାପଡା ବ୍ଲକ ଅଧିନସ୍ଥ ବଳଙ୍ଗା ଥାନା ଅଂଚଳର ତୋରିହଂବନ୍ଧ ଗ୍ରାମର ଚୈତନ୍ୟ ସାହୁ ନାମକ ଜଣେ ବ୍ୟକ୍ତି କୋର୍ଟରୁ ଆନ୍ତରୀଣ ସୁରକ୍ଷା ପାଇବା ପରେ ଗତକାଲି ରାତିରେ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିବା ସାହିତ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରିଥିବା ନେଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ତୋରିହଂବନ୍ଧ ଗ୍ରାମର ସୁଦର୍ଶନ ମହାରଣାଙ୍କ ପତ୍ନୀ ପ୍ରମିଳା ମହାରଣା ବଳଙ୍ଗା ଥାନାରେ କରିଥିବା ଲିଖିତ ଅଭିଯୋଗର ବିବରଣୀରୁ ପ୍ରକାଶ ଯେ, ଗ୍ରାମର ଚୈତନ୍ୟ ସାହୁଙ୍କ ସହିତ ପରିବାର ସହିତ ରହିଥିବା ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳ ପରେ ପ୍ରମିଳା ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଳଙ୍ଗା ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁୁଜୁ କରିଥିବା ବେଳେ ଚୈତନ୍ୟ କୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇ ଜାମିନ୍ ରେ ଆସିବା ପରେ ଅଧିକ ପ୍ରତିହିଂସା ପରାୟଣ ହୋଇ ବିଭିନ୍ନ ସମୟରେ ପ୍ରମିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହ ହତ୍ୟା ଧମକ ଦେଇ ଆସୁଥିଲେ । ତେବେ ଗତକାଲି ସଂଧ୍ୟାବେଳେ ସୁଦର୍ଶନ ରାବେଣା ସାହି ଗାଁ ମୁଣ୍ଡକୁ ଚାଲି ଚାଲି ଯାଉଥିବା ବେଳେ ପୂର୍ବରୁ ଛକି ରହିଥିବା ଚୈତନ୍ୟ ଏକ ମୋଟର ବାଇକରେ ଆସି ସୁଦର୍ଶନଙ୍କୁ ଧକ୍କା ଦେଇଥିଲା । ଫଳରେ ସୁଦର୍ଶନ ତଳେ ପଡିଯିବାରୁ ଚୈତନ୍ୟ ଗାଡିରେ ରଖିଥିବା ଏକ ଲୁହା ରଡ଼ରେ ସୁଦର୍ଶନଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ସୁଦର୍ଶନଙ୍କ ମୁଣ୍ଡ ଫାଟିଯିବା ସହିତ ତାଙ୍କ ହାତରେ ଗୁରୁତର ଆଘାତ ଲାଗିବାରୁ ସେ ଘଟଣା ସ୍ଥଳରେ ଚେତା ହରାଇଥିଲେ । ଚୈତନ୍ୟ ସେଠାରୁ ଆସି ସୁଦର୍ଶନଙ୍କ ଘରେ ପହଂଚି ସୁଦର୍ଶନଙ୍କ ପତ୍ନୀ ପ୍ରମିଳାଙ୍କ ସହିତ ଅସଦାଚରଣ କରିବା ସହିତ ମାଡ ମାରିଥିଲା । ପାଟି ଶୁଣି ସାହି ପଡିଶା ଲୋକ ଘଟଣାସ୍ଥଳରେ ପଂହଚି ଯିବାରୁ ଚୈତନ୍ୟ ସେଠାରୁ ଖସି ପଳାଇଥିଲା । ପ୍ରମିଳା ନିଜ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମାତ୍ର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପରେ ମହିଳା ଏ ସମ୍ପର୍କରେ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଳଙ୍ଗା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।