ନୟାଗଡ଼ – ନୟାଗଡ଼ରେ ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀଙ୍କ ନୂତନ ୧୫ ଦଫା କାର୍ଯ୍ୟାବଳୀର ସମୀକ୍ଷା ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଖ୍ୟାଲଘୁ ସଂପ୍ରଦାୟ ଜାତୀୟ ଆୟୋଗର ଉପାଧ୍ୟକ୍ଷ ଜର୍ଜ କୁରିୟାନ୍ ସଭାପତିତ୍ୱ କରି ସଂଖ୍ୟାଲଘୁ ସଂପ୍ରଦାୟର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ନୟାଗଡ଼ ଜିଲ୍ଲାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକସଂଖ୍ୟା ୫୮୨୫(୨୦୧୧ ଜନଗଣନା ଅନୁଯାୟୀ) ବସବାସ କରୁଛନ୍ତି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ଯଥା- ସମନ୍ୱୟ ଶିଶୁ ବିକାଶ ଯୋଜନା, ଶିକ୍ଷା, ମାଦ୍ରାସା ଶିକ୍ଷା, ବୈଶୟିକ ଶିକ୍ଷା, ଦକ୍ଷତା ବୃଦ୍ଧି, ଆତ୍ମ ନିଯୁକ୍ତି, ପ୍ରାଥମିକ ସ୍ତରରୁ ଉଚ୍ଚଶିକ୍ଷା ନିମନ୍ତେ ବିଭିନ୍ନ ଛାତ୍ରବୃତି, ବିଭିନ୍ନ ଯୋଜନାରେ ଋଣ ବ୍ୟବସ୍ଥା, ଗ୍ରାମାଂଚଳ ଓ ସହରାଂଚଳ ଆବାସ ଯୋଜନା, ଭୂମିହୀନଙ୍କ ପାଇଁ ଘରଡିହ ପ୍ରଦାନ ଆଦି ସଂପର୍କରେ ଆଲୋଚନା କରି ସେମାନଙ୍କର ଅଭାବ ଅସୁବିଧା କଥା ପଚାରି ବୁଝିଥିଲେ । ସଂଖ୍ୟାଲଘୁ ସଂପ୍ରଦାୟର ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶଶିଭୁଷଣ ଶତପଥୀ ସାଂପ୍ରଦାୟିକ ଦଙ୍ଗା କିଛି ଘଟି ନଥିବା ସଂପର୍କରେ ପ୍ରକାଶ କରିଥିଲେ । ଏହି ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି କରିବା ସହିତ ମାଛିପଡ଼ା ଠାରେ ଥିବାଏକ ମାତ୍ର ମାଦ୍ରାସାର ଭିତିଭୂମି ଉନ୍ନତି କରିବା ସଙ୍ଗେ ସଙ୍ଗେ ଉକ୍ତ ଅନୁଷ୍ଠାନକୁ କଂପ୍ୟୁଟର ଯୋଗାଇ ଦେବା ପାଇଁ ଉପାଧ୍ୟକ୍ଷ ପ୍ରକାଶ କରିଥିଲେ ।
ଏହି ବୈଠକକୁ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୁବାସ ଚନ୍ଦ୍ର ରାୟ ପରିଚାଳନା କରିଥିଲେ । ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଂଚଳ ବେହେରା ସହଯୋଗ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ପଦସ୍ଥ ଅଧିକାରୀ, ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧି ଓ ବୁଦ୍ଧିଜିବୀ ଯୋଗଦାନ କରି ଗଠନ ମୂଳକ ପରାମର୍ଶ ଦେଇଥିଲେ ।