
ଗଞ୍ଜାମ, ବାସହୀନଙ୍କୁ ଘର ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରାଯାଇଛି । ଏହାର ସଫଳ ରୂପାୟନ ମଧ୍ୟ ହୋଇଛି, କିନ୍ତୁ, କିଛି ହିତାଧିକାରୀ ଯୋଜନାରେ ଘର ପାଇବା ପରେ ତାହା କେଉଁ କାମରେ ବିନିଯୋଗ ହେଉଛି, ସେ ଦିଗରେ କେହି ତଦନ୍ତ କରୁନାହିଁନ୍ତି । ଏହିଭଳି ଏକ ଯୋଜନାରେ ଘର ପାଇ ତାହାକୁ ଭଡ଼ାରେ ଲଗାଇବା ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଅଷ୍ଟମ ଲେନ୍ ନିକଟସ୍ଥ ମଶାଣି ସାହିରେ ରହିଛି ଏହି ଘର । ପୁଣି ସେହି ଘରକୁ ପୋଲିସ ଠାବ କରିଛି । ଏହି ଘରେ ଦୀର୍ଘ ଦିନ ଧରି ଏକ ନକଲି ମଦ ଫ୍ୟାକ୍ଟ୍ରୀ ଚାଲିଥିବା ଜଣାପଡିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ମିଳିଥିବା ଘର କେଉଁ କାର୍ଯ୍ୟରେ ବିନିଯୋଗ ହେଉଛି । ଏହା କେବଳ ଗୋଟିଏ ଉଦାହରଣ । ଏନେଇ ଅଧିକ ତଦନ୍ତ କରାଗଲେ ଆହୁରି ଅନେକ ଘର ବାହାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।