

ୟାସ ବାତ୍ୟା ଯିବା ପରେ ରାଜ୍ୟଗୁଡ଼ିକ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ କରାଯାଇଛି । ପ୍ରାଥମିକ ରିପୋର୍ଟରୁ ଯାହା ଜଣାଯାଇଛି, ସଠିକ୍ ପୂର୍ବାନୁମାନ, ପ୍ରଭାବିତ ଅଂଚଳରେ ଲୋକମାନଙ୍କୁ ପ୍ରଭାବୀ ଢଙ୍ଗରେ ସୂଚୀତ କରିବା ଓ ଠିକଣା ସମୟରେ ଉଦ୍ଧାର କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରୀ ଏଜେନ୍ସିଗୁଡ଼ିକ ସୁନିଶ୍ଚିତ ପଦକ୍ଷେପ ନେବା କାରଣରୁ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖାଯାଇପାରିଛି । ତେବେ, ବନ୍ୟା କାରଣରୁ, କ୍ଷୟକ୍ଷତି ହୋଇଛି, ଯାହାକୁ ଏବେ ଆକଳନ କରାଯାଉଛି । ଅଧିକାଂଶ ପ୍ରଭାବିତ ଅଂଚଳରେ ବିଦ୍ୟୁତ ଓ ଟେଲିଯୋଗାଯୋଗ ସେବାକୁ ସ୍ୱାଭାବିକ କରାଯାଇପାରିଛି ।
ବାତ୍ୟା ଯୋଗୁ ଦେଖାଦେଇଥିବା ଆହ୍ୱାନର ମୁକାବିଲା କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରୀ ଏଜେନ୍ସିଗୁଡ଼ିକ ପ୍ରଭାବୀ ଓ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ତେବେ ପ୍ରଭାବିତ ଅଂଚଳରେ ସାଧାରଣ ଜନଜୀବନକୁ ସ୍ୱାଭବିକ କରିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ପରାମର୍ଶ ଦେଇଥିଲେ । ସେହିପରି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଉପଯୁକ୍ତ ଭାବେ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲି ଯୋଗାଯୋଗ ସଚିବ, ଆଇଏମଡି ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।