
-
ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ନାଗରିକମାନଙ୍କ ଜୀବନକୁ ସହଜ କରିବ ଏନଡିଏଚଏମ : ପ୍ରଧାନମନ୍ତ୍ରୀ

ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ଏକ ମୁକ୍ତ ଓ ଆନ୍ତଃପରିଚାଳିତ ଆଇଟି ନେଟୱର୍କ-ୟୁନିଫାଏଡ ହେଲ୍ଥ ଇଂଟରଫେସ (ୟୁଏଚଆଇ) ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପରିକଳ୍ପନା କରାଯାଇଛି । ଏହା ବ୍ୟବହାରକାରୀମାନଙ୍କୁ ଟେଲି ପରାମର୍ଶ ଏବଂ ଲାବୋରେଟୋରୀ ପରୀକ୍ଷା ଭଳି ଜରୁରି ଚିକିତ୍ସା ସେବା ସନ୍ଧାନ କରିବା, ପଞ୍ଜୀକରଣ କରିବା ଓ ହାସଲ କରିବାରେ ସହାୟକ ହୋଇପାରିବ । ଏହି ବ୍ୟବସ୍ଥା ଫଳରେ କେବଳ ପ୍ରାମାଣିକ ଚିକିତ୍ସା ସେବା ପ୍ରଦାନକାରୀମାନେ ବ୍ୟବସ୍ଥା ସହିତ ଯୋଡ଼ି ହୋଇପାରିବେ । ଏହା ନବୋନ୍ମେଷ ସହିତ ନାଗରିକମାନଙ୍କ ପାଇଁ ବିଭିନ୍ନ ସେବା ସହିତ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି । ଏପରି କରାଯିବା ଫଳରେ, ସାରା ଦେଶରେ ଅଧିକ ପ୍ରଭାବୀ ଢଙ୍ଗରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଓ ମାନବ ସମ୍ବଳକୁ ଉପଯୋଗ କରାଯାଇପାରିବ ।
ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ବିକଶିତ ୟୁପିଆଇ ଇ-ଭାଉଚର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଡିଜିଟାଲ ପଇଠ ବିକଳ୍ପ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସହ ଜଡ଼ିତ ଆର୍ôଥକ କାରବାର ପାଇଁ ସୁବିଧା ଯୋଗାଇବ ଯାହାକୁ କେବଳ ନିର୍ଦ୍ଦିଷ୍ଟ ୟୁଜର ହିଁ ବ୍ୟବହାର କରିପାରିବେ । ବିଭିନ୍ନ ସରକାରୀ ଯୋଜନାର ବାଞ୍ଝିତ ଓ ପ୍ରଭାବୀ ବିତରଣ ଲାଗି ଏହା ଉପଯୋଗୀ ହୋଇପାରିବ । ଏହାଛଡ଼ା ଚିକିତ୍ସା ସେବା ପାଇବା ଲାଗି ୟୁପିଆଇ ଇ-ଭାଉଚରକୁ ଉପଯୋଗ କରାଯାଇପାରିବ ।
ଏନଡିଏଚଏମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପ୍ରସାରିତ କରିବା ଲାଗି ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁସଂଖ୍ୟକ ଚିକିତ୍ସା ସେବା ଉପଲବ୍ଧ କରାଇବା ଜରିଆରେ ଏନଡିଏଚଏମ ନାଗରିକମାନଙ୍କ ଜୀବନକୁ ସହଜ କରିବ । ସେ ଉଲ୍ଲେଖ କରିଥିଲେ ଯେ ଯଦିଓ ବୈଷୟିକ ପ୍ଲାଟଫର୍ମ ଓ ରେଜିଷ୍ଟ୍ରି ପ୍ରସ୍ତୁତି ଅତ୍ୟନ୍ତ ଜରୁରି ଉପାଦାନ, ତଥାପି ସାରା ଦେଶର ନାଗରିକମାନଙ୍କୁ ଡାକ୍ତରଙ୍କ ଟେଲି ପରାମର୍ଶ, ପରୀକ୍ଷାଗାରର ସେବା ପାଇବା, ଡାକ୍ତରଙ୍କୁ ପରୀକ୍ଷା ରିପୋର୍ଟ ଓ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ମାଧ୍ୟମରେ ହସ୍ତାନ୍ତର କରିବା ଏବଂ ଉପରୋକ୍ତ କୌଣସି ସେବା ପାଇଁ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବା ଭଳି ସେବା ନାଗରିକମାନଙ୍କୁ ଉପଲବ୍ଧ କରାଯାଇପାରିଲେ ଏହି ପ୍ଲାଟଫର୍ମର ଉପଯୋଗିତା ସାବ୍ୟସ୍ତ ହୋଇପାରିବ । ଏ ଦିଗରେ ସମନ୍ୱିତ ପ୍ରୟାସ କରିବା ଲାଗି ଏନଏଚଏ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟକୁ ସେ ନିର୍ଦ୍ଦେଶ ଦେଇଥିଲେ ।