-
୨୪ ଘଂଟାରେ ରାସ୍ତା ମରାମତି, ବିଦ୍ୟୁତ୍ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ
ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ବାତ୍ୟା ପରବର୍ତୀ ସ୍ଥିତି ଏବଂ କ୍ଷୟକ୍ଷତି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶଦେବା ସହ ସଠିକ୍ ସମୟରେ ଉଦ୍ଧାର କାର୍ଯ୍ୟ ଲାଗି ସମସ୍ତ ପଂଚାୟତ ପ୍ରତିନିଧୀ , ଜିଲ୍ଲାପ୍ରଶାସନ ଏବଂ ପୋଲିସ୍ କୁ ଅଭିନନ୍ଦନ ଜଣାଇଛନ୍ତି । ବାତ୍ୟା ସମୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇଥିବାରୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ବାତ୍ୟା କ୍ଷୟଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ଯୋଗୁ ଉଚ୍ଚ ଜୁଆର ଆସି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ସଡକ, ବିଦ୍ୟୁତ ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି । ଏହି ସମୟରେ କୋଭିଡ ହସ୍ପିଟାଲ ଗୁଡିକରେ କିନ୍ତୁ ସ୍ୱଭାବିକ ଭାବରେ ଚାଲିଥିଲା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।
ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ପ୍ରଭାବିତ ଜିଲ୍ଲା ଗୁଡିକରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ମତେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସାଢେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।ବାତ୍ୟା ସମୟରେ ଘର ଭାଙ୍ଗିବା ଯୋଗୁ କୌଣସି ଲୋକ ମୃତାହତ ହୋଇଥିବାର ସୂଚନା ନାହିଁ ବୋଲି ସେ କହିଥିଲେ । କିନ୍ତୁ ବାଲେଶ୍ୱରରେ ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଏବଂ କେନ୍ଦୁଝରରେ ଘରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଗଛ ପଡିବା ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ବୋଲି ସେ କହିଥିଲେ ।
ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ୱଭାବିକ ହେବ ବୋଲି ସେ କହିଥିଲେ । ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ଦୂର କରିବା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ବନ ବିଭାଗ ନିରନ୍ତର ଭାବେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ ।
ମୟୂରଭଂଜର କୁସୁମି ବ୍ଲକ୍ରେ ଏହି ସମୟରେ ସର୍ବାଧିକ ୩୦୫ ମିଲିମିଟର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୧୦ ମିଲିମିଟର ବର୍ଷା ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ ।