ଭୁବନେଶ୍ୱର – ମହିଳା ଆଇନଜିବୀ ଦୀପାଳୀ ପ୍ରୀୟଦଶିନୀ ଯେନାଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ଭୁବନେଶ୍ୱର ଉପକଣ୍ଠସ୍ଥ ଲିଙ୍ଗିପୁରସ୍ଥିତ ଭଡ଼ାଘରୁ ପୋଲିସ ଉଦ୍ଧାର କରିଛି । ଦିପାଳୀଙ୍କ ପୈତୃକ ଘର ଭଦ୍ରକରେ । ସେ ଏଠାରେ ଭଡ଼ା ସୂତ୍ରରେ ଘର ନେଇ ରହୁଥିଲେ । ଆଜି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘରର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା ।
ସୂଚନା ଅନୁଯାୟୀ, ଗତକାଲି ଦୀପାଳୀ ଓ ତାଙ୍କ ପୁରୁଷ ବନ୍ଧୁ ଏହି ଘରେ ଥିଲେ । ସେତେବେଳେ ଦୀପାଳୀଙ୍କ ସାନ ଭଉଣୀ କୌଣସି କାମରେ ବାହାରକୁ ଯାଇଥିଲେ । ରାତିରେ ସେହି ବ୍ୟକ୍ତି ଜଣକ ଦୀପାଳୀଙ୍କ ସାନ ଭଉଣୀକୁ ଫୋନ୍ କରିଥିଲେ ଏବଂ ଦୀପାଳୀ ଘରର ଭିତର ପଟୁ କବାଟ ଦେଇଥିବା କହିଥିଲେ । ଏପରିକି ଡାକିଲେ ମଧ୍ୟ କବାଟ ଖୋଲୁନଥିବା କହିଥିଲେ । ଦୀପାଳୀ ଏ ସମ୍ପର୍କରେ ବାପା ମାଆଙ୍କୁ ଜଣାଇଥିଲେ । ଏହି ଖବର ପାଇ ଦୀପାଳୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ଥିଲେ । ସେମାନେ ଧଉଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସେଠାରେ ପହଂଚି ଘରର କବାଟ ଭାଙ୍ଗି ଦୀପାଳୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା । ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ମେଡିକାଲ ମେଡିକାଲକୁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଧଉଳି ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଘଟଣା ପରଠାରୁ ତାଙ୍କ ପୁରୁଷ ବନ୍ଧୁ ଫେରାର୍ ଥିବାରୁ ପୋଲିସର ସନ୍ଦେହ ଅଭିଯୁକ୍ତ ଉପରେ ଦୃଢ଼ୀଭୂତ ହୋଇଛି । ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଦୀପାଳୀଙ୍କ ସାନ ଭଉଣୀଙ୍କ ବୟାନ, ପାରିପାଶ୍ୱିର୍କ ସ୍ଥିତିକୁ ନେଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।