Related Stories
November 22, 2024
ଭୁବନେଶ୍ୱର, ବାତ୍ୟାକୁ ଆଖି ଆଗରେ ରଖି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ଜଳସଂପଦ ବିଭାଗ ତରଫରୁ କୁଶଳୀ ଯନ୍ତ୍ରୀମାନଙ୍କୁ ନେଇ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ରେ ଜେସିବି, ଟ୍ରାକ୍ଟର, ଏକ୍ସାଭେଟର, ଜେନେରେଟର, ଇନ୍ଧନ, ପାୱାର ସ, ଗ୍ୟାସ କଟର ଇତ୍ୟାଦି ସାଜ ସରଞ୍ଜାମ ଏବଂ ଆବଶ୍ୟକୀୟ କୁଶଳୀ, ଅଣକୁଶଳୀ ଶ୍ରମିକ ପ୍ରସ୍ତୁତ କରି ରଖାଯାଇଛି । ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ ୩୦୦ ଆସ୍କା ଲାଇଟ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ପଠାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଏମାନେ ଜିଲ୍ଲାପ୍ରଶାସନକୁ ରାସ୍ତାରେ ପଡିଥିବା ଗଛକାଟି ସଫା କରିବା ପାଇଁ, ବିଦ୍ୟୁତ ମରାମତି, ଟେଲିକମ୍ ପୁନରୁଦ୍ଧାର ଆଦି ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିବେ । ଶକ୍ତିବିଭାଗ ତରଫରୁ ତ୍ୱରିତ ରେସପନ୍ସ ଦଳ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି । ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ତରଫରୁ ୭୧୦ ଜେନେରେଟର, ୮୧୩ ଟ୍ୟାଙ୍କର, ପିଭିସି ଟାଙ୍କି ୧୭୮୬ ଓ ଗାଡି ପ୍ରସ୍ତୁତ କରି ରଖାଯାଇଛି । ଶକ୍ତି ବିଭାଗ ପକ୍ଷରୁ ୧୧୨୫ ଟି ଟ୍ରାନ୍ସଫରମର, ୧୬୦ ଜେନେରେଟର, ୫୦୦ ଯାନ ପ୍ରସ୍ତୁତ କରି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନଙ୍କୁ ନେଇ ୩୦୮ ଟି ଚିକିତ୍ସା ଦଳ, ୬୩୫ ଟି ଚିକିତ୍ସା ସହାୟକ କେନ୍ଦ୍ର ଓ ୨୧୫ ଟି ଜେନେରେଟର ସହ ଔଷଧ, ଓଆରଏସ୍, ଆନ୍ୟନ୍ୟ ଆନୁଷଙ୍ଗିକ ଇଂଜେକ୍ସନ, ମାସ୍କ, ସାବୁନ, ସାନିଟାଇଜର, ପିପିଇ କିଟ୍, ବ୍ଲିଂଚି ପାଉଡର ଆଦି ପ୍ରସ୍ତୁତ କରି ରଖାଯାଇଛି । ଏବେସୁଦ୍ଧା ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦୦ ଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।