
ବାରିପଦା, ସମ୍ଭାବ୍ୟ ବାତ୍ୟା ୟସକୁ ଦୃଷ୍ଟିରେ ରଖି ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ଏନେଇ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ୟ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ଵବି ମୟୂରଭଞ୍ଜ ଜିଲ୍ଲାକୁ ତୋଫାନି ଗସ୍ତ କରିଛନ୍ତି। କରଞ୍ଜିଆ ପଟୁ ଜିଲ୍ଲାକୁ ପ୍ରବେଶ କରି ପରେ ରାଇରଙ୍ଗପୁର, ସାରସକଣା ଏବଂ ବାରିପଦା ଗସ୍ତ କରି ଦଳୀୟ ନେତା ଓ କର୍ମୀ ଙ୍କ ସହିତ ଆଲୋଚନା କରିଥିଲେ। ବାତ୍ୟା \’ୟସ\’ କାରଣରୁ ଯେପରି ଜିଲ୍ଲାରେ କୌଣସି ଧନ ଜୀବନ ହାନି ନହୁଏ ସେନେଇ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଜିରୋ କାଜୁଆଲଟି ଉପରେ ଧ୍ୟାନ ଦେଇ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସହିତ ମିଳିମିଶି କାର୍ୟ୍ୟ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଥିଲେ। ଏହି ଅବସରରେ ଶ୍ରୀ ଦାସ ଜିଲ୍ଲାପାଳ ବିନିତ ଭରଦ୍ବାଜଙ୍କୁ ସାକ୍ଷାତ କରି ବାତ୍ୟା ପ୍ରସ୍ତୁତି ଏବଂ ମୁକାବିଲା ନେଇ ଆଲୋଚନା କରିଥିଲେ। ୟସ ମୁକାବିଲା ବେଳେ ବିଜେଡି ପକ୍ଷରୁ ସମସ୍ତ ସହାୟତା ଯୋଗାଇଦେବା ନେଇ ପ୍ରକାଶ କରିଥିଲେ। ବାତ୍ୟା ବେଳେ ପାନୀୟଜଳର ଅଭାବ ଦୂର କରିବାକୁ ବିଭିନ୍ନ ପାଣି ପମ୍ପ ନିକଟରେ ଜେନେରେଟର ବ୍ୟବସ୍ଥା କରିବା, ଆଶ୍ରୟ ସ୍ଥଳ ଗୁଡିକରେ ବିଦ୍ୟୁତ, ଶୁଖିଲା ଖାଦ୍ୟ, ପାନୀୟଜଳ ଭଳି ଆନୁଷଙ୍ଗିକ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ଉପରେ ଶ୍ରୀ ଦାସ ଗୁରୁତ୍ୱାରୋପ କରିବା ସହିତ ଏନେଇ ସତର୍କ ଦୃଷ୍ଟି ରଖିବାକୁ ଦଳୀୟ ନେତୃତ୍ବଙ୍କୁ ପରାମର୍ଶ ଦେଇଥିଲେ । ବାତ୍ୟା ସମୟରେ ଅର୍ଥାତ ଆସନ୍ତାକାଲିଠାରୁ ବାରିପଦାରେ ରହି ବାତ୍ୟା ମୁକାବିଲା ର ତଦାରଖ କରିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ଦାସ। ଏହି ଅବସରରେ ବାରିପଦାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଦେବାଶିଷ ମାରାଣ୍ଡି, ପୂର୍ବତନ ପୋୖରାଧ୍ୟକ୍ଷ କୃଷ୍ଣନନ୍ଦ ମହାନ୍ତି, ଉପାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି, ଭାଦବ ହାଁସଦା, ଅନନ୍ତ ଦାସ, ପ୍ରଭାତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।
