ଗଞ୍ଜାମ, କରୋନା ସଂକ୍ରମଣ ରୋକିବା ସକାଶେ ସରକାର ଗତ ୫ ତାରିଖ ଠାରୁ ରାଜ୍ୟରେ ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଗରିବ ଓ ଅସହାୟ ଲୋକ ମାନେ ରୋଜଗାର ହରେଇ ଦୁଃଖ କଷ୍ଟରେ ଚଳୁଥିବା ବେଳେ ସେମାନଙ୍କ ନିମନ୍ତେ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି । ସେଥିମଧ୍ୟରେ ଯେଉଁମାନେ ରାସନ କାର୍ଡ଼ ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ସେମାନଙ୍କ ଦୁଃଖ କହିଲେ ନସରେ । ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ସେମାନଙ୍କୁ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଭଞ୍ଜନଗର ବ୍ଲକ ଓ ଏନଏସିର ପ୍ରାୟ ୫ ଶହ ପରିବାରକୁ ଚାଉଳ, ଡାଲି, ତେଲ ଆଦି ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବାଉଁଶଲୁଣ୍ଡି, ବଡ଼ କୋଦଣ୍ଡା, ଡୁମାକୁମ୍ପା, ସାନକୋଦଣ୍ଡା ଗ୍ରାମ ପଞ୍ଚାୟତରେ ଏବଂ ଭଞ୍ଜନଗର ଏନଏସିର ୪ଟି ୱାର୍ଡର ଗରିବ ଓ ଅସହାୟ ଲୋକଙ୍କୁ ଏହି ଖାଦ୍ୟ ସାମଗ୍ରୀ ମନ୍ତ୍ରୀ ବଣ୍ଟନ କରିଥିବା ବେଳେ ବଡ଼ କୋଦଣ୍ଡା ନିକଟ ସ୍ୱାମୀ ଚିଦାନନ୍ଦ କୁଷ୍ଠାଶ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପରିଚାଳିତ ଆମେ ଅଛୁ କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ଏଥିରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବିଜେଡି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, ସମାଜସେବୀ ଶୂଳପାଣି ଶତପଥି, ପଞ୍ଚାନନ ପାଳ ଏବଂ ସୋଲ ଚାରିଟେବୁଲ ଫାଉଣ୍ଡେସନର ଗୋପାଳକୃଷ୍ଣ ପ୍ରଧାନ ଓ ଭିକାରୀ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।