ନୂଆଦିଲ୍ଲୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୱାନ୍ ଷ୍ଟପ୍ କେନ୍ଦ୍ର (ଓଏସସି) ଯୋଜନା କାର୍ଯ୍ୟକାରୀ କରାଯାଉଛି । ବର୍ତର୍ମାନ ସୁଦ୍ଧା ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏହା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇସାରିଲାଣି । ବର୍ତର୍ମାନସୁଦ୍ଧା, ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ୭୦୧ଟି ଓଏସସି କାର୍ଯ୍ୟକ୍ଷମ ହୋଇସାରିଛି, ଏଥିମଧ୍ୟରୁ ଓଡ଼ିଶାରେ ୩୧ଟି କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଛି । ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ, ବରଗଡ଼, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଭୁବନେଶ୍ୱର ମହିଳା ହେଲ୍ପଲାଇନ ।
ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ଜରିଆରେ ଏପ୍ରିଲ ପହିଲା ୨୦୧୫ ଠାରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଉଭୟ ଘରୋଇ ଏବଂ ସର୍ବସାଧାରଣ ସ୍ଥାନରେ ହିଂସାର ଶିକାର ହୋଇ ଚାପରେ ରହୁଥିବା ମହିଳାମାନଙ୍କୁ ଏହା ମାଧ୍ୟମରେ ଗୋଟିଏ ଛାତ ତଳେ ସମନ୍ୱିତ ସହାୟତା ଓ ସମର୍ଥନ ଯୋଗାଇ ଦିଆଯାଉଛି । ଯେକୌଣସି ପ୍ରକାରର ହିଂସା ବିରୋଧରେ ଲଢ଼େଇ କରିବା ଲାଗି ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସେବା ଯେପରିକି ପୁଲିସ, ସ୍ୱାସ୍ଥ୍ୟସେବା, ଆଇନଗତ ସହାୟତା ଓ ପରାମର୍ଶ, ମାନସିକ ପରାମର୍ଶ ଆଦି ତୁରନ୍ତ, ଜରୁରିକାଳୀନ ଓ ଅଣ-ଜରୁରିକାଳୀନ ଭିର୍ତିରେ ଯୋଗାଇ ଦିଆଯାଉଛି ।
କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ବର୍ତର୍ମାନର ପରିସ୍ଥିତିରେ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ପଡ଼ିଥିବା କିମ୍ବା ହିଂସାର ଶିକାର ହୋଇଥିବା ମହିଳାମାନେ ଦ୍ରୁତ ସହାୟତା ଓ ସେବା ପାଇଁ ନିକଟସ୍ଥ ଓଏସସିରେ ଯୋଗାଯୋଗ କରିପାରିବେ । ଲକଡାଉନ ଅବଧି ମଧ୍ୟରେ ୱାନ୍ ଷ୍ଟପ୍ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ/ପ୍ରଶାସକ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଖୋଲା ରହିବା ସମୟରେ ଏହି ସବୁ କେନ୍ଦ୍ରରେ କୋଭିଡ-୧୯ ମୁକାବିଲା ପାଇଁ ଆବଶ୍ୟକ ସାନିଟାଇଜର, ସାବୁନ, ମାସ୍କ ଆଦି ସାମଗ୍ରୀ ରଖାଯିବ ।