ମାଲକାନଗିରି – ଆମ ଅଞ୍ଚଳରେ ଗତ ବର୍ଷ କାହାକୁ କରୋନା ହେଇନି ଏବର୍ଷ ବି ହେବନି । ଏହି ଆଶା ମନରେ ରଖି ଗର୍ଭବତୀ ଅବସ୍ଥାରେ ଆରମ୍ଭ କରିଦେଇଛନ୍ତି ସଚେତନତା । ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ରହୁଥିବା ଦୁଇଟି ପଞ୍ଚାୟତର ବଣ୍ଡା ଲୋକଙ୍କୁ କରୋନାର ଦ୍ୱିତୀୟ ଲହର ଠୁ ଦୁରରେ ରଖିବା ପାଇଁ ଦୁଃସାହାସିକ ଉଦ୍ୟମ ଚଳାଇଛନ୍ତି ୬ମାସର ଗର୍ଭବତୀ ଅଙ୍ଗନୱାର୍ଡ଼ି ଦିଦି ଜ୍ୟୋତି ବଡ଼ ନାୟକ । ଖଇରପୁଟ ବ୍ଳକ ଅର୍ନ୍ତଗତ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହଲ ଏବଂ ମୁଦୁଲିପଡ଼ା । ଏହି ଦୁଇଟି ପଞ୍ଚାୟତରେ କାହାକୁ ନାହିଁ କରୋନା । ଗତବର୍ଷ ଭଳି ଚଳିତ ବର୍ଷର ଦ୍ୱିତୀୟ ଲହର କରୋନାଠୁ ସମସ୍ତ ବଣ୍ଡା ଜନଜାତୀଙ୍କୁ ଦୁରେଇରଖିବା ପାଇଁ ଅଙ୍ଗନୱାର୍ଡ଼ି ଦିଦି କରୁଛନ୍ତି ସଚେତନ । ଗାଁ ଗାଁ ବୁଲି ଘରେ ପହଞ୍ଚି ବଣ୍ଡା ଲୋକଙ୍କୁ ତାଙ୍କରି ଭାଷାରେ ବୁଝାଉଛନ୍ତି ଦିଦି ଜ୍ୟୋତି ବଡ଼ନାୟକ । ଏହି ଅଞ୍ଚଳରେ କେବେବି ସରକାରୀ ବାବୁ ମାନେ ଡ଼ାକବାଜୀ ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରିନାହାନ୍ତି । କାରଣ ସହରଠୁ ଏମାନେ ବହୁ ଦୁରରେ । ସମୁଦ୍ରପତନ ଠାରୁ ୫ହଜାର ଫୁଟ୍ ପାହାଡ଼ୀଆ ଘାଟି ଉପରେ ରହୁଥିବାରୁ ଏମାନଙ୍କ ମଧ୍ୟରୁ ୯0ପ୍ରତିଶତ ଲୋକଙ୍କୁ ଜଣା ନାହିଁ ଓଡ଼ିଆ ଭାଷା । ତେଣୁ କରୋନା ବାବଦରେ ସଚେତନ ପାଇଁ ତାଙ୍କରୀ ଭାଷାରେ ବୁଛାଉଛନ୍ତି ଅଙ୍ଗନୱାର୍ଡ଼ିଦିଦି ଏପରିକି ଥାଳି ପିଟି ପିଟି ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଗହଳି ସୃଷ୍ଟି କରୁଥିବା ଲୋକଙ୍କୁ ବୁଝାଉଛନ୍ତି । କେଉଁଠାକୁ ଗଲେ ମାସ୍କ ନିହାତୀ ପିଦ୍ଧିବାକୁ କହୁଛନ୍ତି । ଏହା ସହିତ କରୋନାର ଦ୍ୱିତୀୟ ଲହର ଯୋଗୁ ରାଜ୍ୟ ତଥା ଦେଶର ପରିସ୍ଥିତିକୁ ନେଇ ମଧ୍ୟ ସେ ସୂଚନା ଦେଉଛନ୍ତି । ଆଦିମ ଜନଜାତିଙ୍କ ଦୁଇଟି ପଞ୍ଚାୟତ ଯେପରୀ ସବୁ ଦିନ ପାଇଁ କରେନା ମୁକ୍ତ ରହିବ ସେଥିପାଇଁ ସେ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ନିଜେ ୬ ମାସର ଗର୍ଭବତୀ ଥିବା ସତ୍ତ୍ୱେ ନିଜ ସ୍ୱାସ୍ଥ୍ୟ ପ୍ରତି ଭୟ ନକରି ପାହାଡ଼ିଆ ଘାଟି ଚଢି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ବଣ୍ଡା ଅଞ୍ଚଳରେ କାହା ଘରେ ଟିଭି କିମ୍ବା ମୋବାଇଲ୍ ନଥିବାରୁ ଏମାନେ ଜରୁରୀ ସୂଚନା ପାଇବାରୁ ବଞ୍ଚିତ । ଏହା ସହିତ ବଣ୍ଡା ମାନଙ୍କ ମଧ୍ୟରୁ ଜ୍ୟୋତି ଭଳି କିଛି ହାତ ଗଣତି ଲୋକ ହିଁ ଶିକ୍ଷିତ ଥିବାରୁ ଜ୍ୟୋତି ନିଜ ବଣ୍ଡା ଲୋକଙ୍କ ପାଇଁ ସମୟକୁ ଉତ୍ସର୍ଗ କରିଛନ୍ତି । ଆଗକୁ ପରିସ୍ଥିତି ଯେପରୀ ହେଲେ ବି ବଣ୍ଡା ମାନଙ୍କ ନିକଟରେ ଏହା ପଭାବ ଶୂନ୍ୟ ରଖିବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି ।