ବାରିପଦା – ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ଅଣାୟତ ହେବାରେ ଲାଗିଥିବା ବେଳେ ସଦର ମହକୁମା ବାରିପଦାରୁ ଆରମ୍ଭ କରି ଗ୍ରାମାଚଂଳ ସର୍ବତ୍ର ନିଜର କାୟା ବିସ୍ତାର କରିଚାଲିଛି । କରୋନା ସଂକ୍ରମଣର ଏହି ଚେନକୁ ଭାଙ୍ଗିବାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷେ ସମ୍ଭବ ହୋଇପାରି ନାହିଁ । ଏହି ସମୟରେ କେବଳ ଚଳିତ ମଇ ମାସର ୨୩ ଦିନରେ ଜିଲ୍ଲାରୁ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୭,୯୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୨ ଦିନରେ ୪,୮୯୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧୨,୮୫୨ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୫୮୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୪,୯୯୬ରେ ପହଁଚିଛି । ସେହିପରି ମଇ ୨୨ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ ୮୧.୨୫ ପ୍ରତିଶତ ହାରରେ ୨୦,୩୧୦ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ପୂର୍ବାହ୍ନ ସୁଦ୍ଧା ୧୮.୩୭ ପ୍ରତିଶତ ହାରରେ ୪,୫୯୧ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଂଟର, କୋଭିଡ଼ ହସପିଟାଲ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୁବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି । ସେହିପରି ମଇ ୨୩ ତାରିଖ ମଧ୍ୟରେ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ମୋଟ୍ ୯୫ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।