ଜୟପୁର – କରୋନା କାଳରେ ପାଇଥିବା ଜିଲାପାଳ କ୍ଷମତାକୁ ପ୍ରୟୋଗ କରିଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ସରପଞ୍ଚ ଚନ୍ଦ୍ରିକା ଜାନୀ । ଆସନ୍ତା ମଇ ୨୫, ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ପର୍ଯ୍ୟନ୍ତ ବୋରିଗୁମ୍ମା ପଞ୍ଚାୟତକୁ ସଟ ଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଓଡ଼ିଶାର ବଡ଼ ପଞ୍ଚାୟତ ଭାବେ ପରିଚିତ ବୋରିଗୁମ୍ମା । ଯାହାର ଜନସଂଖ୍ୟା ୧୭ ହଜାର ରହିଛି । ଗତ ଦୁଇ ମାସ ମଧ୍ୟରେ ବୋରିଗୁମ୍ମାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ବସ୍ତିକୁ ଛୁଇଁଛି କରୋନା । ପଜିଟିଭ୍ ସଂଖ୍ୟା ବି ପାଖାପାଖି ୩ ଶହ ପାର୍ କଲାଣି । ଏଭଳି ସ୍ଥିତିରେ ଦୈନିକ ଟେଷ୍ଟିଂ ସାଙ୍ଗକୁ କଡାକଡି ହେଉଛି ଯାଞ୍ଚ ପ୍ରକ୍ରିୟା । କରୋନାର ସଂକ୍ରମଣ ଚେନ୍ କୁ ଭାଙ୍ଗିବା ପାଇଁ ହେଲେ ବୋରିଗୁମ୍ମାକୁ ସଟ ଡାଉନ କରିବାର ଆବଶ୍ୟକତା ରହିଛି ତେଣୁ ଏହି ଘୋଷଣା କରାଯାଇଛି ।ଏ ସମ୍ପର୍କରେ ପ୍ରଶାସନକୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ପଞ୍ଚାୟତ ବାସୀଙ୍କୁ ଅବଗତି ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି ବୋଲି କହିଛନ୍ତି ସରପଞ୍ଚ ଚନ୍ଦ୍ରିକା ଜାନୀ ।