ଭଦ୍ରକ – ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲାପାଳ ଡଃ. ଜ୍ଞାନ ଦାଶ ଗତକାଲି ଭର୍ଚୁଆଲ ମୋଡ୍ ରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହୁତ କରିଥିଲେ । ଏଥିରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋକକେଶ ରାୟ, ଭଦ୍ରକ ସାଂସଦ ମଞ୍ଜଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ସମସ୍ତ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା, ଏସପି ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ (ସାଧାରଣ), ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ଓ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ଲାଇନ୍ ଡିପାର୍ଟମେଂଟ ଅଧିକାରୀ ଓ ଜିଲ୍ଲା ସ୍ତରିୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ବୈଠକରେ ମୁଖ୍ୟତଃ ସମ୍ଭାବ୍ୟ ବାତ୍ୟାର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ତଳିଆ ଅଂଚଳ ଓ ଅସୁରକ୍ଷିତ ସ୍ଥାନରେ ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ, ପଶୁ ସମ୍ପଦର ସୁରକ୍ଷା, ସମସ୍ତ ବାତ୍ୟା ଆଶ୍ରୟସ୍ଥଳି ଓ ସ୍କୁଲ ଗୃହ ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଓ ଜେନେରେଟରର ବନ୍ଦୋବସ୍ତ କରିବା । କଟର, ଏମରଜେନ୍ସୀ ଲାଇଟ୍ ପ୍ରସ୍ତୁତ ରଖିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈତରଣୀ ନଦୀର ଯେଉଁ ସବୁ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଅବସ୍ଥାରେ ରହିଛି, ସେଠାରେ ତୁରନ୍ତ ବାଲିବସ୍ତା ପକାଯାଇ ବନ୍ଧକୁ ସୁଦୃଢ଼ କରିବାକୁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ଲାଇନ୍ ଡିପାର୍ଟମେଂଟକୁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ବ୍ଲକ ସ୍ତରରେ ଶୁଖିଲା ଓ ଗୋଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ସମସ୍ତ ବିଡ଼ିଓ ତହସିଲଦାର ଯତ୍ନଶୀଳ ହେବାକୁ କୁହାଯାଇଥିଲା ।