ରାଉରକେଲା – ମହାମାରୀ କରୋନା ଆଜି ତାର ସର୍ବନାଶୀ ରୂପରେ ଏ ମାନବ ଜାତିକୁ ତାର କରାଳ ରୂପ ଦେଖେଇ ଚାଲିଛି । ଧନୀ ନିର୍ଦ୍ଧନ ନିର୍ବିଶେଷରେ ସମସ୍ତଙ୍କୁ ତାର ସଇତାନୀ ଓ ନିରବ ବିକଟାଳ ଫାଶରେ ବାନ୍ଧି କନ୍ଦାଇ ମାରୁଛି । ଭୟାତୁର ମଣିଷ ନିରୁପାୟ । ଆଧୁନିକ ଜ୍ଞାନ ବିଜ୍ଞାନ କୋଭିଡ ପଛରେ ଧାଉଁଛି ଅଣ ନିଶ୍ୱାସୀ ହୋଇ । ଯେତେ ଟିକା, ଔଷଧ ଆଦି ଉପଚାର ଗତି ରୋଧ କରିପାରୁନି ଏହି କ୍ଷୁଦ୍ର ଭୂତାଣୁର । ପରିସ୍ଥିତି ଏବେ ମଣିଷ ଦେହରୁ ନେଇ ମାଟି, ପାଣି ଓ ପବନ ଯାଏ ଅବିଶ୍ୱାସର ବିଷ ମଂଜି ବୁଣି ସାରିଲାଣି । ବ୍ଲାକ ଫଙ୍ଗସ ଯୋଗୁ ଲୋକେ ମାଟି ଛୁଇଁବାକୁ ଡରୁଛନ୍ତି । ଗଙ୍ଗା ଭଳି ପବିତ୍ର ନଦୀରେ ଶହ ଶହ ଭାସମାନ ଶବ ପାଣି ଛୁଇଁବାକୁ ଡରାଇଲାଣି । ଏଣେ ନିଜ ନିଶ୍ୱାସକୁ ବିଶ୍ୱାସ ପାଉନି ମଣିଷର । ମୁହଁରେ ତୁଣ୍ଡି ବାନ୍ଧି ଘର ଭିତରେ ଆବଦ୍ଧ କରିବାକୁ ପଡୁଛି ନିଜକୁ । ବିଶ୍ୱାସ ଅବିଶ୍ୱାସ ଭିତରେ ପର ପାଲଟି ଯାଇଛନ୍ତି ଆପଣାର ମଣିଷମାନେ । ବଜାର ଘାଟରେ ଚିହ୍ନାମୁହଁ ଦେଖିଲେ ବାଟ ଭାଙ୍ଗି ଫେରି ଆସିବାକୁ ପଡୁଛି । ସମ୍ବୋଧନ କରିବାକୁ ସଂକୋଚ ଲାଗୁଛି । ମନରେ ଶଙ୍କା ଆସୁଛି, ଇଏ କରୋନା ଆକ୍ରାନ୍ତ ନୁହଁନ୍ତି ତ । ପଛରୁ କେହି ଡାକିଲେ ଶୁଣି ନଶୁଲା ପରି ଚାଲି ଆସୁଛୁ ଆମେ । ପରସ୍ପରଠୁ ମୁକ୍ତିକାମି ପାଲଟି ଯାଇଛୁ ଆମେ । ସାମାଜିକ ଦାୟୀତ୍ୱ ଦିଗହରା । ମାସ ମାସ ଧରି ନିଜ ଘର ଫାଟକରେ ତାଲା ଠୁଙ୍କି ରହିବାକୁ ପରିସ୍ଥିତି ବାଧ୍ୟ କରିଛିି । ନିଜ ସାହି କିମ୍ବା ପଡିଶା ଘରେ ଶୁଭୁନି ପୂର୍ବ ପରି କୋଳାହଳ । କେହି କାହା ଦୁଆର ମାଟି ମାଡୁନି । ସକାଳୁ ଅନ୍ୟ ବାଡିରେ ପଶି ଫୁଲ ତୋଳା ବନ୍ଦ ହୋଇଯାଇଛି । କ୍ଷୀରବାଲା, ଖଗଜ କାଗଜ ବାଲାଙ୍କ ମୁହଁରେ ହସ ନାହିଁ । ଘର ଆଗରେ ପିଲାଙ୍କ ପାଟିତୁଣ୍ଡ ଶୁଣା ଯାଉନି । ସାଙ୍ଗସାଥିଙ୍କ ସହ ସମ୍ପର୍କ ଆଉ ପୂର୍ବପରି ନାହିଁ । କୁନି ପିଲାଙ୍କ ଅର୍ଦ୍ଦଳି ଘର ଚୌହଦି ଡେଇଁ ପାରୁନି । କେତେବେଳେ ଘରେ ଥାଇ ବି ବାପା ପୁଅ ନିସଙ୍ଗ ହୋଇ ପଡୁଛନ୍ତି । ମା ହାତ ରନ୍ଧା ଖାଦ୍ୟ, ସ୍ନେହବୋଳା ସମ୍ବୋଧନ ପରିସ୍ଥିତି ଚାପରେ ବାଟ ଭାଙ୍ଗିଛି । ଆଉ ଯଦି ପାଖଆଖରେ କାହା ଶବ ଉଠୁଛି ତାହେଲେ କଥା ସରିଗଲା । ସମୁଦାୟ ବସ୍ତି କଲୋନୀ ଅଛୁଆଁ ପାଲଟି ଯାଉଛି । ଚିହ୍ନା ପରିଚିତଙ୍କୁ ଦେଖି ନ ଦେଖିଲା ପରି ବାଟ ଭାଙ୍ଗି ଚାଲିଯାଉଛି ମଣିଷ । ରୋଗ ବଦଳରେ ମୃତ ରୋଗୀ ଦାଉ ସାଜୁଛି ପରିବାର ଉପରେ । ସାହି ଭାଇ ମୃତକକୁ କାନ୍ଧ ଦେବାକୁ ଆସୁନି । ଆଉ କାହା ଭାଗ୍ୟେରେ ନିଆଁ ଦେବାକୁ ଲୋକ ମିଳୁନି । ସଭ୍ୟ ସଂଭ୍ରାନ୍ତ ସମାଜରେ ମାନବୀୟ ମୂଲ୍ୟବୋଧ ଯେମିତି ତାର ସଂଜ୍ଞା ହରାଇବାକୁ ବସିଛି । ଶୈକ୍ଷିକ ପରିବେଷ୍ଟନୀର ମୂଳଦୁଆ ଦୋହଲି ଯାଇଛି । ଯୁବ ପିଢି ନିଜ ଭବିଷ୍ୟତକୁ ନେଇ ଆଜି ଜୀବନର ଦୋଛକିରେ ଅନିଶ୍ଚିତ ଭବିଷ୍ୟତ ଆଶଙ୍କାରେ ମ୍ରିିୟମାଣ । ମୂଲ ମଜୁରି ଦୁର୍ଲଭ । ଜୀବନ ବଂଚାଇବାକୁ ଯେତେବେଳେ ସମସ୍ତେ ଏକମୁଖ ସେତେବେଳେ ଦୁଃଖ, ସୁଖର ମୂଲ୍ୟାୟନ କରିବାକୁ କାହା ପାଖରେ ବା ବେଳେ ଅଛି । ଆପଣା ଜନକୁ ପଥି ପଡି ଦେଇ ସୁସ୍ଥ କରିବାକୁ ଘର ପରିବାର ଓ ସାହି ଭାଇରେ ଧାଁ ଦଉଡ ଲାଗି ରହିଛି । ନିୟତିର ଡାକରେ କିଏ ହାତ ଛାଡି ପର ପାରିକୁ ଚାଲି ଯାଉଛି ତ ଆଉ କିଏ ଭାଗ୍ୟ ବଳରେ କରୋନା ପଞ୍ଝାରୁ ମୁକୁଳି ଆସୁଛି । ଆଉ କାହାର ଆଶା ଆଶଙ୍କାରେ ଦିନ କଟୁଛି । ଦୀର୍ଘ ଅନୁଭୂତିର ଇତିହାସକୁ ତର୍ଜମା କରିବାକୁ ଅବସର ଦେଇଛି ଏହି ଅକାଳ ମହାମାରୀ । ସଂକୀର୍ଣ୍ଣତା ତ୍ୟାଗ କରି ଦୁର୍ଗତଙ୍କ ପ୍ରତି ସହାନୁଭୂତୀଶୀଳ ହେବାକୁ ସମୟ ଡାକୁଛି । ଜନ୍ମ ମୃତ୍ୟୁ କାଳର ଆୟତ । ତଥାପି ଜାଣିଶୁଣି କେହି କାହାକୁ ମରଣ ମୁହଁକୁ ଠେଲି ଦେବା ଭଳି ଅକ୍ଷମଣୀୟ ଭୂଲ୍ ନ ହେବା କଥା । ଆକ୍ରାନ୍ତ ଓ ସେମାନଙ୍କ ପରିବାର ପ୍ରତି ଯଥାସମ୍ଭବ ସହାନଭୂତିଶୀଳ ହୁଅନ୍ତୁ ସମସ୍ତେ । ଭୟାବହତାର ଘଡିସଦ୍ଧି ମୁହୂର୍ତରେ ସମସ୍ତେ ନିଜ ସ୍ତରରେ ସମର୍ପିତ ଭାବେ କର୍ତବ୍ୟ ସମ୍ପାଦନ କରନ୍ତୁ । ବୋଝ ହାଲୁକା ହେବ । ସମଷ୍ଟିଗତ ଦାଇତ୍ୱ ନିର୍ବାହ କରନ୍ତୁ । ଏହା ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ପଥ ପ୍ରଶସ୍ତ କରିବ । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
Related Stories
November 27, 2024
November 27, 2024