-
ଓଡ଼ିଶାରେ କାର୍ଯ୍ୟକ୍ଷମ ରହିଛି 31ଟି ୱାନ୍ ଷ୍ଟପ୍ କେନ୍ଦ୍ର, ଲକଡାଉନ ସମୟରେ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶ
ନୂଆଦିଲ୍ଲୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୱାନ୍ ଷ୍ଟପ୍ କେନ୍ଦ୍ର (ଓଏସସି) ଯୋଜନା କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏହା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇସାରିଲାଣି। ବର୍ତ୍ତମାନସୁଦ୍ଧା, 35ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ 701ଟି ଓଏସସି କାର୍ଯ୍ୟକ୍ଷମ ହୋଇସାରିଛି, ଏଥିମଧ୍ୟରୁ ଓଡ଼ିଶାରେ 31ଟି କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଛି। ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ, ବରଗଡ଼, ବାଲେଶ୍ବର, ବଲାଙ୍ଗିର, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଭୁବନେଶ୍ବର ମହିଳା ହେଲ୍ପଲାଇନ।
ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ଜରିଆରେ ଏପ୍ରିଲ ପହିଲା 2015 ଠାରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଉଭୟ ଘରୋଇ ଏବଂ ସର୍ବସାଧାରଣ ସ୍ଥାନରେ ହିଂସାର ଶିକାର ହୋଇ ଚାପରେ ରହୁଥିବା ମହିଳାମାନଙ୍କୁ ଏହା ମାଧ୍ୟମରେ ଗୋଟିଏ ଛାତ ତଳେ ସମନ୍ୱିତ ସହାୟତା ଓ ସମର୍ଥନ ଯୋଗାଇ ଦିଆଯାଉଛି। ଯେକୌଣସି ପ୍ରକାରର ହିଂସା ବିରୋଧରେ ଲଢ଼େଇ କରିବା ଲାଗି ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସେବା ଯେପରିକି ପୁଲିସ, ସ୍ୱାସ୍ଥ୍ୟସେବା, ଆଇନଗତ ସହାୟତା ଓ ପରାମର୍ଶ, ମାନସିକ ପରାମର୍ଶ ଆଦି ତୁରନ୍ତ, ଜରୁରିକାଳୀନ ଓ ଅଣ-ଜରୁରିକାଳୀନ ଭିତ୍ତିରେ ଯୋଗାଇ ଦିଆଯାଉଛି।
କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ବର୍ତ୍ତମାନର ପରିସ୍ଥିତିରେ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ପଡ଼ିଥିବା କିମ୍ବା ହିଂସାର ଶିକାର ହୋଇଥିବା ମହିଳାମାନେ ଦ୍ରୁତ ସହାୟତା ଓ ସେବା ପାଇଁ ନିକଟସ୍ଥ ଓଏସସିରେ ଯୋଗାଯୋଗ କରିପାରିବେ। ଲକଡାଉନ ଅବଧି ମଧ୍ୟରେ ୱାନ୍ ଷ୍ଟପ୍ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ/ପ୍ରଶାସକ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଖୋଲା ରହିବା ସମୟରେ ଏହି ସବୁ କେନ୍ଦ୍ରରେ କୋଭିଡ-19 ମୁକାବିଲା ପାଇଁ ଆବଶ୍ୟକ ସାନିଟାଇଜର, ସାବୁନ, ମାସ୍କ ଆଦି ସାମଗ୍ରୀ ରଖାଯିବ।