
ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଓ ଏହାର ଆଖପାଖରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବଂ ଗଲା କିଛି ଦିନ ହେବ ଏହି ଅଂଚଳରେ କିଛି ବ୍ୟକ୍ତିଙ୍କର ଅକାଳ ବିୟୋଗ ଘଟିଥିଲା । ଫଳରେ କରୋନା ସଂକ୍ରମିତ ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ବ୍ରହ୍ମବରଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ୍ ଟେଷ୍ଟ ଶିବିର କରାଯାଇଥିଲା । ହେଲେ ଆଶା ଅନୁଯାୟୀ କେହି ଡରି ସ୍ୱାବ୍ ଟେଷ୍ଟ କରି ନଥିବା ଜଣାପଡିଥିଲା । ବ୍ରହ୍ମବରଦା ଓ ମହେଶ୍ୱରପୁର ପଂଚାୟତରେ ଲୋକ ସଂଖ୍ୟା ପାଖାପାଖି ୧୦ ହଜାରୁ ଉର୍ଦ୍ଧ । ସେମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ଗୁରୁତର ଭାବେ ଥଣ୍ଡା ଓ ଜରରେ ଆକ୍ରାନ୍ତ ହୋଇ ବିନା ଡାକ୍ତରଙ୍କ ପରାମର୍ଶରେ ସେମାନେ ବିଭିନ୍ନ ଔଷଧ ଦୋକନରୁ ଔଷଧ କିଣୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବାରମ୍ବାର ସ୍ଥାନୀୟ ସରପଂଚ ଓ ଜିଲାପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା । ଏବଂ ଲୋଭଖୋର ଔଷଧ ବ୍ୟବସାୟୀମାନେ ବିନା ଡାକ୍ତରଙ୍କ ଚିଠାରେ ଔଷଧ ଦେଉଥିବା ନେଇ ଆଜି ବ୍ରହ୍ମବରଦା ସରପଂଚ ବିଜୟ ଦାସ ଓ ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବର ସଂଗଠନ ବ୍ରହ୍ମବରଦାସ୍ଥିତ ସାପ୍ତାହିକ ହାଟ,ଦୂର୍ଗା ମଣ୍ଡପ ଛକ,ଇଦଗାହ ଛକ ଓ ବ୍ୟାଙ୍କଛକରେ ଥିବା ସମସ୍ତ ଔଷଧ ଦୋକାନୀଙ୍କୁ ବିନା ଡାକ୍ତରଙ୍କ ଚିଠାରେ ଔଷଧ ଦିଆଗଲେ ସେମାନଙ୍କ ବିରୋଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେମାନଙ୍କୁ ଚେତାବନୀ ଦିଆଯାଇଥିଲା । ଏବଂ ଅତି ଗୁରୁତର ଥଣ୍ଡା ଓ ଜ୍ୱର ହୋଇଥିବା ରୋଗୀଙ୍କୁ ଚିହ୍ନଟ କରି ପଂଚୟତର ସରପଂଚ , ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କୁ ଅବଗତ କରାଇବାକୁ ଔଷଧ ଦୋକାନୀଙ୍କୁ ଚେତାବନୀ ଦିଆଯାଇଥିଲା । ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ଉଚ୍ଚ ପ୍ରଶଂସା କରାଯାଇଛି ।