
-
ଡୋର ଟୁ ଡୋର ଟେଷ୍ଟିଂ ଓ ଟ୍ରେସିଂ କରାଯାଉ

ଭୁବନେଶ୍ୱର – ଓଡିଶାର ଗ୍ରାମାଂଚଳ ତଥା ଆଦିବାସୀ ବହୁଳ ଅନୁନ୍ନତ ଅଂଚଳରେ କ୍ରମବର୍ଦ୍ଧିଷ୍ନୁ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବାକୁ ଦାବୀ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବୀ ଜଣାଇଛନ୍ତି ବିଜେପି ବିଧାୟକବୃନ୍ଦ ।
ରାଜ୍ୟର ଗ୍ରାମଂଚଳରେ ଥିବା ସବ୍ ସେଂଟର / ପିଏଚସି / ପିଏଚସି (ନୂତନ) / ସିଏଚସିଗୁଡିକର ଭିତିଭୂମି ସୁଦୃଢ କରି ଡୋର ଟୁ ଡୋର ବ୍ୟାପକ ଟେଷ୍ଟିଂ ଓ ଟ୍ରେସିଂର ବ୍ୟବସ୍ଥା କରାଯାଉ । ରାଜ୍ୟରେ ସିଏଚସିମାନଙ୍କରେ ଗ୍ରାମାଂଚଳର କୋଭିଡ୍ ସଂକ୍ରମିତଙ୍କ ପାଇଁ ଜରୁରୀକାଳିନ ଚିକିତ୍ସା ଯୋଗାଇବା ପାଇଁ ଅତି କମ୍ ରେ ୨୦ଟି ଶଯ୍ୟାର ବ୍ୟବସ୍ଥା କରି ଆବଶ୍ୟକ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ । ଜିଲ୍ଲାସ୍ଥରୀୟ କୋଭିଡ୍ କେୟାର ସେଂଟର କେବଳ ଶଯ୍ୟା କିଣାରେ ସୀମିତ ନରହି ଆବଶ୍ୟକୀୟ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ । ଅକ୍ସିଜେନ, ଭେଂଟିଲେଟରଯୁକ୍ତ ଶଯ୍ୟା ଓ ଆସିୟୁ ଯୁକ୍ତ ଶଯ୍ୟାର ବ୍ୟପକତତାକୁ ପ୍ରାଥମିକତା ଦିଆଯାଉ । ଭେଂଟିଲେଟର ଅପରେଟର. ଅକ୍ସିଜେନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ଯନ୍ତ୍ରପାତି ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ବୈଷୟିକ କର୍ମଚାରୀ ଯୁଦ୍ଧକାଳୀନ ଭିତିରେ ନିଯୁକ୍ତି କରାଯାଉ । ଗ୍ରାମାଂଚଳରେ ଖାଲି ପଡିରହିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରାଯାଉ । ଗ୍ରାମାଂଚଳରେ କୋଭିଡ୍ ଭୂତାଣୁରେ ସଂକ୍ରମିତ ବହୁ ପରିବାରରେ ସଂଗରୋଧରେ ରହିବାର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ପଂଚାୟତ ସ୍ତରରେ କାର୍ଯ୍ୟକ୍ଷମ ନଥିବା ଟିଏମସି ଏବଂ ସଂଗରୋଧ ଗୃହକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି ।
ସେହିପରି ଗ୍ରାମ / ପଂଚାୟତସ୍ତରରେ ସ୍ଥାନୀୟ ଲୋକପ୍ରତିନିଧି / ଏନଜିଓ / ସ୍ୱାସ୍ଥକର୍ମୀ ଆଦି ବ୍ୟକ୍ତି ବିଶେଷଙ୍କୁ ନେଇ କୋଭିଡ୍ କ୍ରାଇସିସ୍ ମ୍ୟାନେଜମ୍ୟାଂଟ କମିଟି ଗଠନ କରି ଟିଏମସି / ସଂଗରୋଧ ଗୃହର ସୁପରିଚାଳନା ଦାୟୀତ୍ୱ ଦେବା ସହ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରି ଗୁରୁତର ରୋଗୀଙ୍କୁ ଜିଲ୍ଲାସ୍ତର ବା ରାଜ୍ୟସ୍ତର କୋଭିଡ୍ କେୟାର ସେଂଟରକୁ ପଠାଇବାର ଦାୟୀତ୍ୱ ଦିଆଯାଉ । କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟିର ତତ୍ୱାବଧାନରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗ୍ରାମ ପଂଚାୟତ ସ୍ତରରେ ବ୍ୟାପକ ଟୀକାକରଣର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ।
ରାଜ୍ୟ ଜନସାଧାରଣଙ୍କୁ ବିଶ୍ୱାସକୁ ନେଇ ଉପରୋକ୍ତ ଦାବୀ ମୁତାବକ ପଦକ୍ଷେପ ନେଇ ଗ୍ରାମାଂଚଳର କୋଡ଼ିଡ୍ ମୁକାବିଲା କରିବା ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି । ଏହି ଅବସରରେ ଡ.ମୁକେଶ ମହାଲିଙ୍ଗ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ.ନାରାୟଣ ରାଓ, ପ୍ରକାଶ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ ।