
ଭଦ୍ରକ – ଭାରତ ସରକାର ବିଶ୍ୱର ୧୫ଟି ଦେଶ ସହିତ ମିଶି କ୍ଷେତ୍ରୀୟ ଆର୍ôଥକ ବୁଝାମଣା ନାମକ ଏକ ମୁକ୍ତ ବ୍ୟାପାର ବୁଝାମଣା କରିବା ପାଇଁ ଅଗ୍ରସର ହେଉଛନ୍ତି । ଯେଉଁଥିରେ ଆମଦାନୀର ୮୦ରୁ ୯୦ ପ୍ରତିଶତ ବସ୍ତୁମାନଙ୍କ ଉପରୁ ଆମଦାନୀ ଶୁଳ୍କ ଉଠାଇ ଦେବା ନିମନ୍ତେ ବ୍ୟବସ୍ଥା ରଖାଯାଇଛି । ଏଥି ନିମନ୍ତେ ଯଦି ବୁଝାମଣାପତ୍ର ସ୍ୱାକ୍ଷରିତ ହୁଏ, ତେବେ ଭାରତର ଶିଳ୍ପ, କୃଷି ଓ ଗୋପାଳନ ଉପରେ ପ୍ରଭାବ ପଡ଼ିବ । ଯାହା ଦ୍ୱାରା ନୂତନ ଜ୍ଞାନକୌଶଳ ଓ ଉଦ୍ଭାବନ କ୍ଷମତା ମଧ୍ୟ ଶେଷ ହୋଇଯିବ । ଚୀନରୁ ଶସ୍ତା ମାଲ୍ ଭାରତକୁ ଆସିବା ଦ୍ୱାରା ଆମ ଦେଶର ଅଧିକାଂଶ ଉଦ୍ୟୋଗ ବନ୍ଦ ହେବ ଏବଂ ଆର୍ଥିକ ମାନ୍ଦାବସ୍ଥା ବୃଦ୍ଧି ପାଇବ । ଏହାଦ୍ୱାରା ଆମ ଦେଶର ଶିଳ୍ପ ଉଦ୍ୟୋଗ ଯେ କେବଳ ବନ୍ଦ ହେବ, ତାହା ନୁହେଁ ବରଂ ଶ୍ରମିକମାନେ ରୋଜଗାର ହରାଇବେ ବୋଲି ଆରୋପ କରି ସ୍ୱଦେଶୀ ଜାଗରଣ ମଞ୍ଚ ଭଦ୍ରକ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ଆହୁରି ଉଲ୍ଲେଖ ଅଛି ଯେ ଭାରତର ଗ୍ରାମୀଣ କ୍ଷେତ୍ରରେ ପ୍ରାୟ ୧୦ କୋଟି ଲୋକ ରୋଜଗାର ପାଇଁ ଗୋପାଳନ ବା ଦୁଗ୍ଧ ଉତ୍ପାଦନ ଭିତିକ ବ୍ୟବସାୟ ଉପରେ ନିର୍ଭର କରନ୍ତି । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆରୁ ବିନା ଆମଦାନୀ ଶୁଳ୍କରେ ଦୁଗ୍ଧ ଓ ଆନୁସଂଗିକ ଦ୍ରବ୍ୟ ଆମଦାନୀ ହେଲେ ଆମ ଦେଶର ଚାଷୀ ଭାଇମାନଙ୍କୁ ମିଳୁଥିବା ଦୁଗ୍ଧର ମୂଲ୍ୟ ହ୍ରାସ ପାଇବ । ଅତିକମ୍ରେ ୫ କୋଟିରୁ ଅଧିକ ଲୋକ ନିଜର ଜୀବିକା ହରାଇବେ । ତେଣୁ ସମଗ୍ର ଦେଶର ହିତ ଦୃଷ୍ଟିରୁ ଏହି ବୁଝାମଣାରେ ସ୍ୱାକ୍ଷର କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପୁଣିଥରେ ବିଚାର କରନ୍ତୁ ବୋଲି ପରେଶ ନାଥ ଧଳ, କମଳାକାନ୍ତ ସାହୁ, ବିଷ୍ଣୁ ଚରଣ ଖଟୁଆ, କିରଣମୟୀ ସାହୁ, ଅମୂଲ୍ୟ କୁମାର ଭୋଇ, ଶ୍ରୀଧର ମଳିକ, ଅମିୟ କୁମାର ନାୟକ, କ୍ଷୀରସିନ୍ଧୁ ନାୟକ, ନାରାୟଣ ନାୟକ, ମୁକ୍ତିକାନ୍ତ ସାହୁ, ଭାଗିରଥୀ ନାୟକ ପ୍ରମୁଖ ମଞ୍ଚ ପକ୍ଷରୁ ଦାବୀ କରିଛନ୍ତି ।