

ଭୁବନେଶ୍ୱର – ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲୋକ ସେବକ ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଏହି ଦୁଇଟି ଆମ୍ବୁଲାନ୍ସକୁ କେନ୍ଦୁଝର ଜିଲ୍ଲାର ବିଶେଷ କରି ଘସିପୁରା, ଘଟଗାଁ, ଆନନ୍ଦପୁର, ହରିଚନ୍ଦନପୁର ଅଂଚଳର କରୋନା ଆକ୍ରାନ୍ତଙ୍କ ନିମନ୍ତେ କାର୍ଯ୍ୟକରିବାକୁ ଅନୁରୋଧ କରିଛନ୍ତି । ଏହି ଅବସରରେ କଟକସ୍ଥିତ ଗୋପବନ୍ଧୁ ଭବନ ପରିସରରେ ଲୋକସେବା ମଣ୍ଡଳର ରାଷ୍ଟ୍ରିୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଲୋକସେବା ମଣ୍ଡଳକୁ ଦୁଇଟି ଆମ୍ବୁଲାନ୍ସ ଗାଡ଼ିକୁ ନିରଞ୍ଜନ ପଟ୍ଟନାୟକଙ୍କ ପୁତ୍ର ଦେବଜ୍ୟୋତି ପଟ୍ଟନାୟକ ଏବଂ ଭାଇ ନବ ପଟ୍ଟନାୟକ ପ୍ରଦାନ କରିଛନ୍ତି ।
କେନ୍ଦୁଝର ବାସୀଙ୍କ ପାଖରେ କଂଗ୍ରେସ ସବୁବେଳେ ସୁଖଦୁଃଖରେ ଛିଡ଼ା ହୋଇଛି । ବର୍ତମାନ କରୋନା ମହାମାରୀ ସମୟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କେନ୍ଦୁଝରର ଗରୀବ ଜନସାଧାରଣଙ୍କ ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକସେବା ମଣ୍ଡଳକୁ ପ୍ରଦାନ କରିଛନ୍ତି ଯାହାକି ଘଷିପୁରା, ଘଟଗାଁ ଓ ଆନନ୍ଦପୁର, ହରିଚନ୍ଦନପୁରର ଗରୀବ ଲୋକଙ୍କ ସେବାରେ ଲାଗିବ । ଯଦି ଆଗକୁ ଆହୁରି କିଛି ସାହାଯ୍ୟ ଦରକାର ପଡ଼େ ଆମେ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ଦେବଜ୍ୟୋତି ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ ନବ ପଟ୍ଟନାୟକ ଦୁଇଟି ଆମ୍ବୁଲାନ୍ସ ଗାଡ଼ିର ଚାବିକୁ ଡ. ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ । ସର୍ବପ୍ରଥମେ ସମାଜର ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଆମ୍ବୁଲାନ୍ସ ପ୍ରଦାନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ଡ. ବିପ୍ଳବ ଶିଳାଦିତ୍ୟ, ସତିଶ ଶେଖର, ସଦାଶିବ ବାରିକ ଓ ଆଶୁତୋଷ ରାଉତ ପ୍ରମୁଖ ଉପସ୍ଥିଥିଲେ ।