-
ଆଜି ଜିଲ୍ଲାରୁ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୫୩୮ କରୋନା ପଜିଟିଭ ଚିହ୍ନଟ –
-
ମେ ମାସର ୨୦ ଦିନରେ ରେକର୍ଡ଼ ସଂଖ୍ୟକ ୬,୧୯୦ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ
ବାରିପଦା – କୋଭିଡ଼-୧୯ର ଦ୍ୱିତୀୟ ଲହର ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଲହରଠାରୁ ଅଧିକ ଘାତକ ହେବା ଆରମ୍ଭ କରିଛି । ଜିଲ୍ଲାରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ଚଳିତ ମେ ମାସର ୨୦ ଦିନରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୬,୧୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ୧୯ ଦିନରେ ୩,୮୨୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧୧,୪୯୮ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ କାଲିର ରେକର୍ଡ଼ ୫୦୭କୁ ଭାଙ୍ଗି ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୫୩୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩,୨୨୯ରେ ପହଁଞ୍ଚିଛି । ସେହିପରି ମେ ୧୯ ପର୍ଯ୍ୟନ୍ତ ଜିଲ୍ଲାରୁ ୧୯,୨୩୮ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୩,୮୯୬ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଣ୍ଟର, କୋଭିଡ଼ ହସପିଟାଲ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଛନ୍ତି । ସେହିପରି କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ମୋଟ ୯୫ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।