ଭୁବନେଶ୍ୱର – ରାଜ୍ୟରେ ଶକ୍ତି କ୍ଷେତ୍ରକୁ ଆହୁରି ଅଧିକ ପାରଦର୍ଶୀ, ସୁସଂହତ ଏବଂ ଦକ୍ଷ ଭାବେ ବିକଶିତ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ବିଭିନ୍ନ ମହଲରୁ ପରାମର୍ଶ ଲୋଡ଼ିଛନ୍ତି । ଓଡ଼ିଶା ବର୍ତମାନ ବିକାଶ ଓ ଅଭିବୃଦ୍ଧିର ଜ୍ୱଳନ୍ତ ଉଦାହରଣ ବୋଲି ଦର୍ଶାଇ ଚିରସ୍ଥାୟୀ ଓ ସମାବେଶୀୟ ବିକାଶ ସାଧନ, ଆଂଚଳିକ ଅସମତା ଓ ଦାରିଦ୍ର୍ୟ ହ୍ରାସ, ପ୍ରଭାବୀ ପ୍ରଶାସନ, ଭିତିଭୂମିରେ ବିକାଶ, ପୁଂଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ରାଜ୍ୟର ଆଭିମୁଖ୍ୟ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଗୁରୁବାର ଦିନ ‘ଓଡ଼ିଶା ଶକ୍ତି କ୍ଷେତ୍ର-ରାଜ୍ୟଠାରୁ ଶିକ୍ଷା’ ଶୀର୍ଷକ ୱେବିନାର୍ ମାଧ୍ୟମରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ମନ୍ତ୍ରୀ ଏହା କହିଛନ୍ତି ।
କୋଭିଡ୍-୧୯ କଟକଣା ପାଇଁ ଶକ୍ତି ଉପଯୋଗ ହ୍ରାସ ପାଇଛି । କିନ୍ତୁ ଆଗାମୀ ଦିନରେ ଓଡ଼ିଶା ଅଗ୍ରଣୀ ବିଦ୍ୟୁତ ଉପଯୋଗକାରୀ ରାଜ୍ୟ ଭାବେ ଉଭା ହେବା ନିଶ୍ଚିତ ବୋଲି ଉଲ୍ଲେଖ କରି ଲୋକଙ୍କ ଅର୍ଥନୈତିକ ପରିବର୍ତନରେ ଶକ୍ତି ଉପଯୋଗର ପ୍ରମୁଖ ଭୂମିକା ରହିଛି । ସେ କହିଛନ୍ତି ଯେ ଏହା ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ ଓ ସହଜ କରିବାରେ ସାହାଯ୍ୟ କରିବ । ସରକାର ଶସ୍ତା ଓ ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧ କରାଇବା ପାଇଁ ସତତ ଚେଷ୍ଟିତ । ଓଡ଼ିଶା ବିକାଶ କୈନ୍ଦ୍ରିକ, ଶିଳ୍ପ ଅନୁକୂଳ ଓ ପରିବେଶ ସଚେତନ ରାଜ୍ୟ ହୋଇଥିବାରୁ ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଦେଇଆସିଛି । ସେ ଆଲୋଚନାରେ ଅଂଶଗ୍ରହଣ କରିଥିବା ବୁଦ୍ଧିଜୀବୀମାନଙ୍କୁ ସବୁଜ ଓ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ । ଶକ୍ତି କ୍ଷେତ୍ରରେ ସରକାର ଅନେକ ଗୁଡି଼ଏ ସୁଧାର ଆଣିଥିବା ଉଲ୍ଲେଖ କରି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସରକାରୀ-ଘରୋଇ ସହଭାଗିତାରେ କାର୍ଯ୍ୟ କରୁଥିବା କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ବୋଲି କହିଥିଲେ ।
ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ ‘ଓଡ଼ିଶା ଶକ୍ତି ସଂରକ୍ଷଣ ବିଲ୍ଡିଂ କୋଡ୍’ ବିଜ୍ଞାପିତ କରିଛି । ୨୦୧୯-୨୦ରେ ସର୍ବମୋଟ ଶକ୍ତି ଉତ୍ପାଦନ କ୍ଷମତା ୭୬୪୮ ମେଗାୱାଟ୍ ଥିଲା । ଓଡ଼ିଶା ରାଜ୍ୟର ଚାହିଦାଠାରୁ ଅଧିକ ଶକ୍ତି ଉତ୍ପାଦନ କରୁଛି । ରାଜ୍ୟର ଉଭୟ ଶିଳ୍ପ ଓ ଘରୋଇ ବିଦ୍ୟୁତ ଉପଯୋଗ ପରିମାଣ ୭୨ ପ୍ରତିଶତ । ତା’ମଧ୍ୟରୁ କେବଳ ଘରୋଇ କ୍ଷେତ୍ରରେ ୩୭.୪୧% (୭୩୨୭ ଏମ୍ୟୁ) ଉପଯୋଗ ହେଉଥିବା ସେ ଦର୍ଶାଇଥିଲେ ।
ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବା ନିମନ୍ତେ ଓଡ଼ିଶା ଅକ୍ଷୟ ଶକ୍ତି ଆଇନ-୨୦୧୬ ପ୍ରଣୟନ କରିଛି । ବିଶେଷ ଭାବେ ୨୦୨୨ ବେଳକୁ ରାଜ୍ୟ ୨୨୦୦ ମେଗାୱାଟ୍ ସୌରଶକ୍ତି, ୨୦୦ ମେଗାୱାଟ୍
ପବନ ଶକ୍ତି, ୧୮୦ ମେଗାୱାଟ ବାୟୋଗ୍ୟାସ, ୧୫୦ ମେଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ ଏବଂ ୨୦ ମେଗାୱାଟ ବର୍ଜ୍ୟରୁ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଥିବା କଥା ପ୍ରକାଶ କରିବା ସହିତ ରାଜ୍ୟରେ ଶକ୍ତି ଅପଚୟ ରୋକିବା ସହିତ ସଂରକ୍ଷଣ ଦିଗରେ ଗୁରୁତ୍ୱ ଦେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ସବୁସ୍ତରରୁ ସମର୍ଥନ ଓ ସହଯୋଗ କାମନା କରିବା ସହ ସରକାର ସ୍ମାର୍ଟ ଗ୍ରୀଡ଼୍ ଟେକ୍ନୋଲୋଜିର ବ୍ୟବହାର କରିବା ପାଇଁ ପଦକ୍ଷେପ ନେଉଥିବା ସେ ଉଲ୍ଲେଖ କରିଥିଲେ ।
ଏହି ୱେବିନାରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ତଥା ଭିସା ଷ୍ଟିଲର ଉପସଭାପତି ଓ ପରିଚାଳନା ନିର୍ଦ୍ଦେଶକ ବିଶାଳ ଅଗ୍ରୱାଲ, ଉପାଧ୍ୟକ୍ଷ ସବ୍ୟସାଚୀ ସରକାର, ସଂଗଠନର
ଶକ୍ତି ଉପପରିବେଶ ଉପାଧ୍ୟକ୍ଷ ପାର୍ଥ ଚାଟାର୍ଜୀ, ସିଇଓ ପାୱାର ଏକ୍ସଚେଞ୍ଜ ଇଣ୍ଡିଆ, ପ୍ରଭାଜିତ କୁମାର ସରକାର ପ୍ରମୁଖ ଯୋଗଦେଇଥିଲେ ।