-
ଓଡ଼ିଶାରେ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ପାଖାପାଖି ୫ ହଜାର କୋଭିଡ୍ ବେଡ୍ ସହ ୧ ହଜାର ଭେଂଟିଲେଟର୍ର ବ୍ୟବସ୍ଥା ହେଉଛି – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ସୁନ୍ଦରଗଡ– ଓଡିଶାର କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ବିଶେଷ ଭାବରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍ ବେଡ୍ ଏବଂ ୧ ହଜାରରୁ ଉର୍ଦ୍ଧ୍ୱ ଭେଂଟିଲେଟରର ବ୍ୟବସ୍ଥା କରାଯାଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର ନୂଆଦିଲ୍ଲୀରୁ ଭର୍ଚୁଆଲ ପ୍ଲାଟଫର୍ମରେ ସେଲ୍ ରାଉରକେଲା ଇସ୍ପାତ କାରଖାନାର “ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି” ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ପ୍ରାଥମିକତା ଦିଆଯାଉଛି । ରାଉରେକଲା ଇସ୍ପାତ୍ କାରଖାନା ଦ୍ୱାରା ଆଇପିଜିଆଇ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ଜିଲ୍ଲା ପ୍ରଶାସନକୁ ଉତ୍ସର୍ଗ ହୋଇଥିବା ଭେଂଟିଲେଟର ସୁବିଧା ସହ କୋଭିଡ୍ ବେଡ୍ ଗୁଡ଼ିକ ଆଗାମୀ ଦିନରେ କୋଭିଡ୍ ସଂକ୍ରମିତ ରୋଗୀ ମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଅନେକ ଜୀବନ ରକ୍ଷା କରିବାରେ ସହାୟକ ହେବ ।
ଜାତୀୟ ଏବଂ ଆଂଚଳିକ ସ୍ତରରେ ସେଲର ରାଉରେକଲା ଇସ୍ପାତ୍ କାରଖାନା ଏହି କୋଭିଡ ମହାମାରୀର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ସିଜେନ୍ ପ୍ଲାଂଟ ନିକଟରେ କୋଭିଡ଼୍ କେୟାର ସେଂଟର ପ୍ରତିଷ୍ଠା କରିବା ପାଇଁ ଆହ୍ୱାନ କରିଥିବା ବେଳେ ସେଲ୍ ମଧ୍ୟ ରାଉରକେଲାରେ ୫୦୦ ବେଡ୍ ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା କରିବାର ଦାୟିତ୍ୱ ନେଇଛି । ଏତଦବ୍ୟତିତ ରାଉରକେଲା ଇସ୍ପାତ୍ କାରଖାନାରେ ଅକ୍ସିଜେନ୍ ପ୍ରସ୍ତୁତ ୟୁନିଟରୁ ଲିକୁଇଡ଼୍ ମେଡ଼ିକାଲ ଅକ୍ସିଜେନର ଉତ୍ପାଦନ ଏବଂ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଚଳିତବର୍ଷ ଏପ୍ରିଲରୁ ଏହି ପ୍ଲାଂଟରୁ ୧୦ ହଜାର ଟନରୁ ଅଧିକ ମେଡ଼ିକାଲ ଅକ୍ସିଜେନ୍ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ଖଣି ଅଂଚଳରେ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବାକୁ ପଡ଼ିବ । ତେଣୁ କେନ୍ଦୁଝର ଜିଲ୍ଲାର ବଲାଣି କିମ୍ବା ବଡ଼ବିଲ ଠାରେ ଅକ୍ସିଜେନ୍ ସୁବିଧା ସହ ୧୦୦ କୋଭିଡ୍ ବେଡ଼୍ ଓ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଠାରେ ୫୦ ଅକ୍ସିଜେନ୍ ସଂଯୁକ୍ତ ବେଡ଼ର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସେଲକୁ ଦାୟିତ୍ୱ ଦେଇଛନ୍ତି ।
ସେହିପରି ଓଡ଼ିଶାକୁ ବର୍ତମାନ ସୁଦ୍ଧା ୭୪ ଲକ୍ଷ ୮୬ ହଜାର ୧୪୦ଟିକା ଉପଲବ୍ଧ ହୋଇଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାକୁ କେନ୍ଦ୍ର ସରକାର ୬୮ ଲକ୍ଷ ୫୭ ହଜାର ୬୦୦ ଟିକା ଦେଇଛନ୍ତି । କର୍ପୋରେଟ୍ ତଥା ସେଲ୍ ମଧ୍ୟ ଟିକା ଅଭିଯାନରେ ସାମିଲ ହୋଇ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରନ୍ତୁ । ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟୁନ ୨ ଜଣ ସାଧାରଣ ଲୋକଙ୍କୁ ମାଗଣାରେ ଟିକା ଦେବାର ଦାୟିତ୍ୱ ମଧ୍ୟ ସେଲ ନେଉ । ଜିଲ୍ଲା ପ୍ରଶାସନ ଓ ସମସ୍ତ ସାମାଜିକ ରାଜନୈତିକ ନେତୃତ୍ୱଙ୍କ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଶତ ପ୍ରତିଶତ ଟିକା ଦେବାରେ ପ୍ରଥମ ଜିଲ୍ଲା ଭାବରେ ପରିଗଣିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଓଡ଼ିଶାର କରୋନା ମହାମାରୀ ବିରୋଧୀ ଲଢ଼େଇରେ ଅନେକ ବ୍ୟକ୍ତି ସମାଜର ସେବା ପାଇଁ ନିଜକୁ ନିୟୋଜିତ କରିବା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ବିଷୟ । ରାଉରକେଲା ସହରରେ ଗୁରିନ୍ଦର ସିଂହ କରୋନା ସଂକ୍ରମିତ ଲୋକଙ୍କୁ ମାଗଣାରେ ଅକ୍ସିଜେନ୍ ସିଲିଣ୍ଡର ଏବଂ ରନ୍ଧା ଖାଦ୍ୟ ଯୋଗାଇଦେଉଥିବାରୁ ଶ୍ରୀ ପ୍ରଧାନ ଶ୍ରୀ ସିଂହଙ୍କୁ ସାଧୁବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସେଲ୍ କର୍ତୃପକ୍ଷ ଉପସ୍ଥିତ ରହିଥିଲେ ।