ବାରିପଦା – ସ୍ଥାନୀୟ ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉଟେନସି ଏଣ୍ଡ ମେନେଜମେଂଟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଦ୍ୱିତୀୟ ଲହର କୋଭିଡ -୧୯ ଟିକାକରଣ ସଚେତନତା ବିଷୟରେ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ସ୍ୱେଚ୍ଛାସେବୀମାନେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଜାତୀୟ ସେବା ଯୋଜନା ଅଧିକାରୀ ମୀରା ସେନାପତି ଅତିଥିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସ୍ୱେଚ୍ଛାସେବୀ ଲିପ୍ସା ନନ୍ଦ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ମଂଚ ପରିଚାଳନା କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଡକ୍ଟର ପ୍ରଣବ ଶଙ୍କର ଦାଶ ଯୋଗଦାନ କରି କୋଭିଡ ଉପରେ ବିଜୟ ଲାଭ କରିବା ପାଇଁ ଉପଦେଶ ଦେଇଥିଲେ । ଏନ.ଏସ.ଏସ. ରିଜିଓନାଲ ଡାଇରେକ୍ଟର ସରିତା ପଟେଲ ବାର୍ତା ମାଧ୍ୟମରେ ଏନ.ଏସ.ଏସ.କୁ ମଜବୁତ କରିବା ପାଇଁ ପ୍ରେରଣା ଦେଇଥିଲେ । ଏନ.ଏସ.ଏସ.ର ଏସ.ଏନ.ଓ ଡକ୍ଟର ରମେଶ ଚନ୍ଦ୍ର ବେହେରା ମଧ୍ୟ ବାର୍ତା ମାଧ୍ୟମରେ ସମସ୍ତଙ୍କୁ ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଅଧ୍ୟାପକ, ଏନ.ଏସ.ଏସ, ଓୟୁଏଟିର ନିରୋଦ ବରଣ ଖୁଣ୍ଟିଆ ତାଙ୍କର ଅମୂଲ୍ୟ ବିଂଶସୂତ୍ରୀ ଉପଦେଶ ମାଧ୍ୟମରେ ଜନମାନସକୁ ନିରୋଗ ତଥା ସୁସ୍ଥ ରଖିବାକୁ ପ୍ରେରଣା ଦେଇଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ସଂଯୋଜକ ଡକ୍ଟର ଶୁଭେନ୍ଦୁ ଦାସ ଯୋଗଦାନ କରି ବ୍ରେକ ଦି ଚେନ, ମେକ ଦି ଚେନ କିପରି ସଫଳ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସେବା ଯୋଜନା ଅଧିକାରୀ ଡକ୍ଟର ସ୍ମୃତି ରଂଜନ ଦାଶ ୱେବିନାର ଯୋଡ଼ି ହୋଇ ମନକୁ ଦୃଢ ରଖି ସାମାଜିକ ଦୂରତ୍ୱ ପାଳନ, ମାସ୍କ ପରିଧାନ, ସାନିଟାଇଜର ମାଧ୍ୟମରେ ନିଜକୁ କରୋନାରୁ ମୁକ୍ତ ରଖିପାରିବେ ବୋଲି ମତ ପୋଷଣ କରିଥିଲେ । କପ୍ତିପଦା ଡିଗ୍ରୀ କଲେଜ, ନୂଆସାହିର ଜାତୀୟ ସେବା ଯୋଜନା ଅଧିକାରୀ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ ସଞ୍ଜୟ କୁମାର ସେନାପତି ଯୋଗଦାନ କରି ଅତି ଆବଶ୍ୟକ ନ ଥିଲେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଇଥିଲେ । ଭବିଷ୍ୟତରେ ଏକାଠି ବଂଚିବାକୁ ହେଲେ ବର୍ତମାନ ପରସ୍ପରଠାରୁ ସର୍ବନିମ୍ନ ୬ ଫୁଟରୁ ଅଧିକ ଦୂରତ୍ୱ ରକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ । ତେଣୁ ଏ ସବୁ ବାର୍ତା ଗ୍ରାମାଚଂଳରେ ପହଁଚିବା ଦ୍ୱାରା ସଚେତନତା ସୃଷ୍ଟି ହୋଇପାରିବ । ଅନଲାଇନ ବା ଦୂର ସଂଚାର ମାଧ୍ୟମରେ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମର ସଂଚାଳକ ଅଧିକାରୀ ରିଜିଓନାଲ ଡାଇରେକ୍ଟର ଅଫିସର ନିଖିଲ ପାଣିଗ୍ରାହୀ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଉପାଦେୟତା ବର୍ତମାନର ଘଡ଼ିସନ୍ଧି ସମୟରେ ନିଶ୍ଚୟ ସଚେତନତା କରାଇବ ବୋଲି ମତ ପ୍ରକାଶ କରିଥିଲେ ।
ଏମ.ସି.ଏ.ଏମ.ର ଅନ୍ୟତମ ସେବା ଯୋଜନା ଅଧିକାରୀ ବିଜୟା ନାୟକ ଶାରିରୀକ ବ୍ୟାୟାମ ମାଧ୍ୟରେ ଶରୀରକୁ ସୁସ୍ଥ ରଖି କରୋନା ଉପରେ ବିଜୟ ଲାଭ କରାଯାଇ ପାରିବ ବୋଲି ମତ ରଖିଥିଲେ । ଶେଷରେ ଏମ.ସି.ଏ.ଏମ.ର ଜାତୀୟ ସେବା ଯୋଜନା ଅଧିକାରୀ ମୀରା ସେନାପତି ୱେବିନାରରେ ଯୋଡ଼ି ହୋଇଥିବା ସମସ୍ତ ଅତିଥି ଓ ସଜ୍ଜନମଣ୍ଡଳୀ ତଥା ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।