ଗଞ୍ଜାମ- ଟାଟା ମୋଟର୍ସ କମ୍ପାନୀରେ ଚାକିରୀ ଦେବା ନାମରେ ଟଙ୍କା ଠକେଇ ଅଭିଯୋଗରେ ଗୋପାଳପୁର ବିଧାୟକ ଡଃ. ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କ ନାମରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଗତ ମାସରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଏହି ମାମଲାରେ ଆଜି ଉଭୟଙ୍କୁ ଗୋଳନ୍ଥରା ଥାନା ପୋଲିସ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ପୋଲିସର ଏକ ଟିମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏମାନଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍ ରୁ ଆଣି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ଠକେଇ ମାମଲାରେ ଉଭୟଙ୍କୁ ଜଡ଼ିତ କରିବା ପରେ ପୁଣି ଥରେ ଦୁହିଁଙ୍କୁ ଭୁବନେଶ୍ୱର ନିଆଯାଇଛି । ଏହି ମାମଲାକୁ ମିଶାଇ ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପଙ୍କ ନାମରେ ମୋଟ୍ ୪ଟି ମାମଲା ରୁଜ୍ଜୁ ହୋଇ ସାରିଲାଣି ।
ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଳନ୍ଥରା ଥାନା ଅନ୍ତର୍ଗତ ମାଝିଗାଁର ବି. ଶିବ ପାତ୍ର ଟାଟା ମୋଟର୍ସରେ ଚାକିରୀ ପାଇବା ଆଶାରେ ବିଧାୟକଙ୍କୁ ଗତ ୨୦୧୯ ଅକ୍ଟୋବର ୨୦ ତାରିଖରେ ବ୍ରହ୍ମପୁର ସ୍ଥିତ ତାଙ୍କ ବାସଭବନରେ ୩ ଲକ୍ଷ ଟଙ୍କା ଦେଇଥିଲେ । ଏଥିପାଇଁ ବିଧାୟକଙ୍କ ସହଯୋଗୀ ସର୍ବେଶ୍ୱର ତାଙ୍କୁ ପ୍ରବର୍ତାଇଥିଲେ । କିନ୍ତୁ, ପରବର୍ତି ସମୟରେ ଶିବଙ୍କୁ ଚାକିରୀ ମିଳିନଥିଲା । ଏବଂ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଗତ ୨୦ ତାରିଖରେ ଶିବ ଗୋଳନ୍ଥରା ଥାନାରେ ଏତଲା କରିଥିଲା । ଏତଲାକୁ ଭିତି କରି ପୋଲିସ କେସ୍ ନଂ ୧୨୦/୨୧ ରେ ଏକ ମାମଲା ରୁଜ୍ଜୁ କରିଥିଲା ।