ଭଦ୍ରକ – ଭଦ୍ରକ ଚରମ୍ପା ଅଂଚଳର ଉଦୀୟମାନ ଯୁବ ବ୍ୟବସାୟୀ ପ୍ରଦୀପ ପାଣ୍ଡିଆଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ଶ୍ରୀ ପାଣ୍ଡିଆଙ୍କ ମୃତ୍ୟୁ ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ, ଚରମ୍ପା ଅଂଚଳରେ ତାଙ୍କ ସମ୍ମାନାର୍ଥେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରଦୀପ ପୂର୍ବାହ୍ନ ୧୧ଟା ସମୟରେ ଚରମ୍ପାସ୍ଥିତ ତାଙ୍କ ନୂତନ ନିର୍ମାଣାଧିନ କୋଠା ଘର ନିକଟରେ ଥିଲେ । ନିର୍ମାଣ କାର୍ଯ୍ୟ ପାଇଁ ଲାଗିଥିବା ପାଣି ମୋଟର ପମ୍ପରେ କିଛି ଯାନ୍ତ୍ରୀକ ତୃଟି ଦେଖାଦେବାରୁ ସେ ଏହାକୁ ଯାଂଚ କରିବା ସମୟରେ ବିଦ୍ୟୁତ୍ ଆଘାତପ୍ରାପ୍ତ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଦୀପଙ୍କ ମୃତ୍ୟୁଖବର ପ୍ରଘଟ ପରେ ଚରମ୍ପା ଅଂଚଳର ଅଧିକାଂଶ ବ୍ୟବସାୟୀ ଓ ଶୁଭେଛୁ ମେଡ଼ିକାଲରେ ପହଂଚି ତାଙ୍କ ଶେଷ ଦର୍ଶନ କରିଥିଲେ । ପ୍ରକାଶ ଥାଉକି ପ୍ରଦୀପ ଏରେଇଁ ଗ୍ରାମର ପ୍ରତିଷ୍ଠିତ ବ୍ୟବସାୟୀ ୰କିଶୋରୀଲାଲ ପାଣ୍ଡିଆଙ୍କ ପୁତ୍ର ଓ ଚରମ୍ପା ବ୍ୟବସାୟୀ ସଂଘର ସମ୍ପାଦକ ଗୋକୁଳ ଚନ୍ଦ୍ର ପାଣ୍ଡିଆଙ୍କ ଭାଇ । ମାରୁୱାଡ଼ି ଯୁବ ସଂଘ, ଭଦ୍ରକ ଯୁବ ମଂଚ, ଚରମ୍ପା ବ୍ୟବସାୟୀ ସଂଘ ସହ ପ୍ରତ୍ୟେକ୍ଷ ଭାବେ ସଂପୃକ୍ତ ରହି ପ୍ରଦୀପ ବହୁ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିବା ସହ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ।
Related Stories
November 24, 2024
November 24, 2024