ଭୁବନେଶ୍ୱର – ଗତକାଲି ୱାଶିଂଟନ ଡିସିଠାରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଓ ବିଶ୍ୱ ବ୍ୟାଙ୍କ ଗ୍ରୁପର ବାର୍ଷିକ ବୈଠକର ପୂର୍ଣ୍ଣକାଳୀନ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧି ଦଳ ଯୋଗ ଦେଇଛନ୍ତି । ସେ ମଧ୍ୟ ଆଇଏମଏଫର ମନ୍ତ୍ରୀସ୍ତରୀୟ କମିଟି ଓ ବିଶ୍ୱ ବ୍ୟାଙ୍କର ଏକ ଉନ୍ନୟନ କମିଟିର ଶୁଭାରମ୍ଭ ଅଧିବେଶନରେ ଯୋଗଦେଇଥିଲେ । ଉନ୍ନୟନ କମିଟିର ଉଦଘାଟନୀ ଅଧିବେଶନରେ ସଦସ୍ୟମାନେ ବିଶ୍ୱର ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଅର୍ଥମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବାଣିଜି୍ୟକ ଯୁଦ୍ଧ ଓ ସଂରକ୍ଷଣବାଦ ଫଳରେ ଅସ୍ଥିରତା ସୃଷ୍ଟି ହୋଇଛି ଓ ଏହା ପୁଞ୍ଜି ଏବଂ ଦ୍ରବ୍ୟ ଓ ସେବାର ପ୍ରବାହକୁ ପ୍ରଭାବିତ କରିବ । ବିଶ୍ୱ ଅର୍ଥବ୍ୟବସ୍ଥାରେ ସୁଧାର ଲାଗି ମାନ୍ଦାବସ୍ଥା ଦୂର କରିବା ଏବଂ ବହୁପକ୍ଷୀୟ ଭାବନାକୁ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେ ଆହ୍ୱାନ କରିଥିଲେ । ସେ ଆହୁରି କହିଥିଲେ ଯେ ବର୍ଦ୍ଧିତ ବାଣିଜି୍ୟକ ସମନ୍ୱୟ, ଭୂ-ରାଜନୈତିକ ଅସ୍ଥିରତା ଓ ଅତ୍ୟଧିକ ଋଣ ହାର ଦିଗରେ ବିଶ୍ୱସ୍ତରରେ ମିଳିତ ଭାବେ ଦୃଢ଼ ପଦକ୍ଷେପ ନିଆଯିବା ଜରୁରୀ, କାରଣ ମାନ୍ଦାବସ୍ଥା ଏକ ସଂକଟରେ ପରିଣତ ହେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିପାରିବା ନାହିଁ ।
ଚଳିତ ବର୍ଷ ବାର୍ଷିକ ବୈଠକ ଅବସରରେ ଆଇଏମଏଫର ଆନ୍ତର୍ଜାତିକ ମୁଦ୍ରା ଓ ଆର୍ଥିକ କମିଟି (ଆଇଏମଏଫସି)ର ୪୦ତମ ବୈଠକ ଅନୁÂିତ ହେଉଛି । ଏହି ଅବସରରେ ଆଇଏମଏଫସିର ତିନୋଟି ଅଧିବେଶନ ଅନୁÂିତ ହୋଇଥିଲା । ଆଇଏମଏଫସିର ଉଦଘାଟନୀ ଅଧିବେଶନ ବିଶ୍ୱ ଅର୍ଥନୀତିର ସ୍ଥିତି ଓ ସମ୍ଭାବନା ଉପରେ କେନ୍ଦ୍ରିତ ଥିଲା । ଏହାଛଡ଼ା ଅକ୍ଟୋବର ୧୫, ୨୦୧୯ରେ ଜାରି ହୋଇଥିବା ବିଶ୍ୱ ଅର୍ଥନୈତିକ ପରିଦୃଶ୍ୟ ଉପରେ ଆଲୋଚନା କରାଯାଇଥିଲା । ଏହା ପୂର୍ବରୁ ସତର୍କତାମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶ୍ୱ ଅର୍ଥବ୍ୟବସ୍ଥା ପ୍ରତି ସମ୍ଭାବ୍ୟ ବିପଦ ଓ ଏହାର ସ୍ଥିରତା ସମ୍ପର୍କରେ ଆଲୋଚନା ହୋଇଥିଲା ।
ଚଳିତ ବର୍ଷ ଧାର୍ଯ୍ୟ ଆଲୋଚନାର ୧୫ତମ ରାଉଣ୍ଡ ଶେଷ ହେଉଥିବାରୁ ଆଜି ପ୍ରାରମ୍ଭରେ ଆଇଏମଏଫ ସମ୍ପତି ଓ ପ୍ରଶାସନର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା । ଏହି ଅଧିବେଶନର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଅର୍ଥନୈତିକ ବ୍ୟାପାର ସଚିବ ଶ୍ରୀ ଅତନୁ ଚକ୍ରବର୍ତୀ ।
ଏଥିପୂର୍ବରୁ ଜି୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ । ଏହି ବୈଠକରେ ମୁଖ୍ୟତଃ ଆନ୍ତର୍ଜାତିକ ଟିକସ ନିର୍ଦ୍ଧାରଣ ଏବଂ ସ୍ଥିର ମୁଦ୍ରା ଉପରେ ଆଲୋଚନା ହୋଇଥିଲା । ମନ୍ତ୍ରୀ ଓ ଗଭର୍ଣ୍ଣରମାନେ ମଧ୍ୟ ଜି୨୦ ଉପମୁଖ୍ୟମାନଙ୍କଠାରୁ ଗୁଣାତ୍ମକ ଭିତିଭୂମି ନିବେଶ, ଋଣର ସ୍ଥାୟୀତ୍ୱ, ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସହାୟତା, ପ୍ରଭାବୀ ଦେଶୀୟ ମଂଚ ନିର୍ମାଣ ଏବଂ ଆଫ୍ରିକା ସମ୍ବନ୍ଧୀୟ ପଦକ୍ଷେପ ବାବଦରେ ଆଫ୍ରିକା ଉପଦେଷ୍ଟା ମଣ୍ଡଳୀଠାରୁ ସୂଚନା ଆହରଣ କରିଥିଲେ । ଡିଜିଟାଲକରଣ ଫଳରେ ଦେଖାଦେଇଥିବା ଟିକସ ଆହ୍ୱାନର ମିଳିତ ସମାଧାନ ବିକଶିତ କରିବା ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅଧିବେଶନରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ସଂଯୋଜନ ଓ ଲାଭାଂଶ ଆବଂଟନ ଆହ୍ୱାନ ଦିଗରେ ଏକ ସାମଗ୍ରିକ ଦୃଷ୍ଟିକୋଣ ଗ୍ରହଣ କରିବାର ଆବଶ୍ୟକତା ରହିଛି ।
ଉପରୋକ୍ତ ବୈଠକ ଅବସରରେ ଅର୍ଥମନ୍ତ୍ରୀ କେତେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ଏଥିରେ ସାମିଲ ରହିଛି ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ମି.ଆଂଟୋନ ସିଲୁଆନୋଭ, କିର୍ଗିଜ ସାଧାରଣତନ୍ତ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ବକ୍ତିଗୁଲ ଜୀନବାଏଭା, ସ୍ୱିଜରଲାଣ୍ଡ ଅର୍ଥମନ୍ତ୍ରୀ ମି. ଉଲେଇ ମଉରେର, ଅଷ୍ଟେ୍ରଲୀୟ କୋଷାଧ୍ୟକ୍ଷ ମି. ଜୋଶ ଫ୍ରିଡେନବର୍ଗ ଓ ମାଳଦ୍ୱୀପ ଅର୍ଥମନ୍ତ୍ରୀ ମି. ଇବ୍ରାହିମ ଅମୀରଙ୍କ ସହ ବୈଠକ । ଏହିସବୁ ବୈଠକରେ ଉଭୟ ପକ୍ଷ ପାରସ୍ପରିକ ଲାଭ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିଥିଲେ ।