
ବାରିପଦା – ଅକ୍ଟୋବର ୧୮ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଲାବଣ୍ୟଦେଇପୁର ଗ୍ରାମ ପଂଚାୟତର ୬ ନମ୍ବର ୱାଡର଼୍ କାନକୁମୁରା ଗ୍ରାମର ପାଣୁ ସିଂ(୩୨) ନିକଟସ୍ଥ ଅସୁରଖାଇ ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିବା ସମୟରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲା, ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଦନ୍ତା ପାଣୁ ସିଂକୁ ଗୋଡ଼ାଇ ଗୋଡ଼ାଇ ନେଇଯାଇଥିବା ଦୃଶ୍ୟ ତା’ ସାଙ୍ଗରେ ଥିବା କୁନା ସିଂ, ଶମ୍ଭୁ କୁଇ, କାଠି ମହାଖୁଡ଼ ଓ ଟୁନା ମହାକୁଡ଼ ନିଜ ଆଖିରେ ଦେଖିବା ପରେ ଗାଁରେ ଆସି ଖବର ଦେବା ପରେ କେତେକ ଗ୍ରାମବାସୀ ଓ ପରିବାର ଲୋକ ପାନୁକୁ ଖୋଜାଖୋଜି କରିଥିଲେ ମଧ୍ୟ ତା’ର କୌଣସି ଖବର ପାଇନଥିଲେ । ପୁଣି ଆଜି ପୂର୍ବାହ୍ନରେ ଅନେକ ଖୋଜାଖୋଜି ପରେ ପାଣୁର ମୃତଦେହ ମିଳିଥିଲା । ଏହାପରେ ସ୍ଥାନୀୟ ଜନସାଧାରଣ କ୍ଷତିପୂରଣ ଦାବିରେ କପ୍ତିପଦା-ଶରତ ମୁଖ୍ୟ ରାସ୍ତାକୁ ପାତାସାହି ନିକଟରେ ଅବରୋଧ କରିଥିଲେ । ପ୍ରଶାସନ ପକ୍ଷରୁ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଉଦଳା ପଠାଇଥିଲେ । ଦନ୍ତା ଆକ୍ରମଣରେ ମୃତ ପାଣୁ ଉପରେ ତା’ର ସ୍ତ୍ରୀ ଓ ୫ ନାବାଳକ ପିଲା ନିର୍ଭର କରୁଥିଲେ । ତେଣୁ ମୃତ ପାଣୁ ସିଂର ପରିବାରକୁ ସରକାର ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।