-
ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୧.୮୪ କୋଟିରୁ ଅଧିକ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ
-
ଏଥିସହ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆଉ ପାଖାପାଖି ୫୧ ଲକ୍ଷ ଡୋଜ ମିଳିବ
ନୂଆଦିଲ୍ଲୀ- ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ଦିଗରେ ଏବେ ଭାରତ ସରକାରଙ୍କ ପ୍ରମୁଖ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି କୋଭିଡ ଟିକାକରଣ (ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ସମେତ) । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ କୋଭିଡ ଟିକା ଯୋଗାଇ ଦେଇ ଭାରତ ସରକାର ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ସମର୍ଥନ ଯୋଗାଇ ଆସୁଛନ୍ତି । ତତସହିତ କୋଭିଡ ଟିକାର ଉତ୍ପାଦନ ଓ ଯୋଗାଣ ବୃଦ୍ଧି ଉପରେ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି ।
୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି । ରଣନୀତିର ଅଂଶସ୍ୱରୂପ, ପ୍ରତି ମାସରେ କୌଣସି କମ୍ପାନିର ମୋଟ ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରି (ସିଡିଏଲ) ଅନୁମୋଦିତ ଟିକା ଡୋଜର ୫୦% ଭାରତ ସରକାରଙ୍କ ଦ୍ୱାରା ହାସଲ କରାଯିବ । ଏହି ଡୋଜଗୁଡ଼ିକୁ ପୂର୍ବ ଭଳି ରାଜ୍ୟ ସରକାରମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଯିବା ପ୍ରକ୍ରିୟା ବଳବତ୍ତର ରହିବ ।
ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ପାଖାପାଖି ୨୦ କୋଟିରୁ ଅଧିକ ଟିକା ଡୋଜ (୨୦,୨୮,୦୯,୨୫୦) ପ୍ରଦାନ କରିସାରିଲେଣି । ୨୦୨୧ ମେ ୧୪ ପର୍ଯ୍ୟନ୍ତ ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ହାରାହାରି ୧୮,୪୩,୬୭,୭୭୨ ହୋଇଛି (ଗତକାଲି ସକାଳ ୭ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।
ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୧.୮୪ କୋଟିରୁ ଅଧିକ କୋଭିଡ ଟିକା ଡୋଜ (୧,୮୪,୪୧,୪୭୮) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ । ନକାରାତ୍ମକ ବାଲାନ୍ସ ଦେଖାଉଥିବା ରାଜ୍ୟଗୁଡ଼ିକ ଯୋଗାଣ ତୁଳନାରେ ଅଧିକ ବ୍ୟବହାର ଦର୍ଶାଉଛନ୍ତି (ନଷ୍ଟ ମାତ୍ରାକୁ ମିଶାଇ), କାରଣ ସଶସ୍ତ୍ର ବଳକୁ ସେମାନେ ଯେଉଁ ଟିକା ଯୋଗାଇଛନ୍ତି, ତାହାକୁ ସେମାନେ ସାମିଲ କରିନାହାନ୍ତି ।
ଅଧିକନ୍ତୁ, ପାଖାପାଖି ୫୧ ଲକ୍ଷ (୫୦,୯୫,୬୪୦) ଟିକା ଡୋଜ ଉପଲବ୍ଧ ରହିଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ତାହା ଗ୍ରହଣ କରାଯିବ ।