-
ଶିଶୁ କନ୍ୟା କରୋନା ନେଗେଟିଭ୍, କେକ୍ କାଟି ଖୁସି ମନାଇଲେ ନର୍ସ
ବ୍ରହ୍ମପୁର:କରୋନା ପାଇଁ ଏବେ କେବଳ ଅଶୁଭ ଖବର ଶୁଣିବାକୁ ମିଳୁଛି। କାହାର କେତେବେଳେ କରୋନାରେ ମୃତ୍ୟୁ ଘଟିବ କିଛି କହି ହେବ ନାହିଁ। ସୁସ୍ଥ ଜଣାପଡ଼ୁଥିବା ଲୋକ ହଠାତ୍ ମୃତ୍ୟୁମୁଖକୁ ଠେଲି ହୋଇଯାଉଛନ୍ତି। କରୋନାର ପ୍ରକୋପ ଚାରିଆଡ଼େ ନିରାଶ ଖେଳାଇ ଦେଇଛନ୍ତି। କିନ୍ତୁ ଏହି ନିରାଶ ଭିତରେ ଆଶାର ଝକକ୍ ଦେଖାଇଛନ୍ତି ବ୍ରହ୍ମପୁର ସିଟି ହସ୍ପିଟାଲ୍ର ଡାକ୍ତର ଏବଂ ନର୍ସିଂ କର୍ମଚାରୀ। ଜଣେ ଏଚ୍ଆଇଭି ଓ କୋଭିଡ୍ ସଂକ୍ରମିତ ମହିଳାଙ୍କ ଯତ୍ନ ନେଇ ତାଙ୍କର ସୁରକ୍ଷିତ ପ୍ରସବ କରାଯାଇଛି। ମହିଳା ଜଣକ ଏକ ଶିଶୁକନ୍ୟା ଜନ୍ମ ଦେଇଥିବା ବେଳେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିଛି। ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ସଫଳତା ପାଇଁ ଡାକ୍ତର ଓ କର୍ମଚାରୀ ଖୁସି ମନାଇବା ସହିତ କେକ୍ କାଟି ଶିଶୁକନ୍ୟା ଜନ୍ମଦିନ ପାଳନ କରିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଡାକ୍ତରୀ ଟିମ୍ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
ସୂଚନା ଅନୁସାରେ ଗତ ସପ୍ତାହରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଜଣେ ୩୦ବର୍ଷୀୟ ଗର୍ଭବତୀ ମହିଳା ସିଟି ହସ୍ପିଟାଲ୍କୁ ଆସିଥିଲେ। ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କର କୋଭିଡ୍ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏଣୁ ତାଙ୍କୁ ସିଟି ହସ୍ପିଟାଲ୍ ପରିସରରେ ଥିବା କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଗର୍ଭବତୀ ମହିଳା ଜଣକ ଏଚ୍ଆଇଭି ସହିତ କୋଭିଡ୍ ପଜିଟିଭ୍ ଥିବାରୁ ତାଙ୍କର ଅଧିକ ଯତ୍ନ ନିଆଯାଇଥିଲା। ଗତ ବୁଧବାର ରାତିରେ ମହିଳା ଜଣକ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଖୁସି ଖବର ଏହି କି ଯେ ଶିଶୁଟି କୋଭିଡ୍ ନେଗେଟିଭ୍ ରହିଛି। ତାଙ୍କର ଓଜନ ୨କେଜି ୬ଶହ ଗ୍ରାମ ରହିଥିବା ବେଳେ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଛି। ବର୍ତ୍ତମାନ ଶିଶୁଟି ସିଟିି ହସ୍ପିଟାଲ୍ରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସାଧୀନ ରହିଛି। କୋଭିଡ୍ ପଜିଟିଭ୍ ଥିବା ମା’ର ମଧ୍ୟ ବିଶେଷ ଲକ୍ଷଣ ନାହିଁ। ଏଣୁ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଡାକ୍ତର ଆଶା କରୁଛନ୍ତି।
ଅନ୍ୟପଟେ ୬ସପ୍ତାହ ପରେ ଶିଶୁକନ୍ୟାର ଏଚ୍ଆଇଭି ରିପୋର୍ଟ ଜଣାପଡ଼ିବ। ପ୍ରକାଶ ଥାଉ କି ମହିଳା ଜଣକ ୪ବର୍ଷ ପୂର୍ବରୁ ଏଚ୍ଆଇଭି ସଂକ୍ରମିତ ହୋଇଥିଲେ। ଏହାପରେ ସେ ଏଆର୍ଟି ସେଣ୍ଟର୍ରେ ଚିକିତ୍ସିତ ହୋଇ ଔଷଧ ସେବନ କରୁଛନ୍ତି। ଗତ ୨୦୧୮ରେ ସେ ଏମ୍କେସିଜି ମେଡିକାଲରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଶିଶୁଟି ଏଚ୍ଆଇଭି ନେଭେଟିଭ୍ ରହିଥିଲା। ଏଣୁ ସଦ୍ୟଜାତ ଶିଶୁ ମଧ୍ୟ ଏଚ୍ଆଇଭି ନେଭେଟିଭ୍ ହେବ ବୋଲି ଡାକ୍ତରମାନେ ଆଶା କରିଛନ୍ତି।