ପୁରୀ, ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ବିଶେଷ ତିଥିରେ ଆଜି ଅପରାହ୍ନରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀ ଠାରେ ଶୁଭାରମ୍ଭ ହେବ । ଏହି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପୀ ଚାଲିବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ଯାଇ ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଗୃହରେ ବିଜେ କରିବେ । ପରେ ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ । ମଦନମୋହନଙ୍କ ସହ ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଚଂ ମହାଦେବ ଚନ୍ଦନ ଚକଡ଼ାରେ ବିଜେ କରିବେ । ପ୍ରଶାସନର କୋଭିଡ଼୍ କଟକଣା ପାଇଁ ମାତ୍ର ୫୦ ରୁ ୬୫ ଜଣ ସେବାୟତ ଏହି ନୀତିକାନ୍ତିରେ ନିୟୋଜିତ ହେବେ । ନନ୍ଦା ଓ ଭଦ୍ରା ନୌକାରେ ମହାପ୍ରଭୁ ଦିନ ଓ ରାତି ଚାପ ଖେଳିବେ । ଅନ୍ୟ ସମୟରେ ଚନ୍ଦନ ଗୃହରେ ଥିବା ଚନ୍ଦନ କୁଣ୍ଡରେ ଅବସ୍ଥାନ କରିବେ । ଚାପ ପାଇଁ ନୌକା, ଚନ୍ଦନ ଗୃହକୁ ସଜ୍ଜିତ କରାଯାଇଛି । ଏଥର ବିନା ଭକ୍ତରେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି । ଭକ୍ତ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଠାରୁ ଚନ୍ଦନ ପୋଖରୀ ପର୍ଯ୍ୟନ୍ତ ବାରିକେଡ଼ କରାଯିବା ସହ ବ୍ୟାରିକେଟ ଅଂଚଳରେ ୧୪୪ ଧାରା ଜାରି କରାଯାଇଛଚି । ଏହା ବ୍ୟତୀତ ନରେନ୍ଦ୍ର ପୁଷ୍କରିଣୀ ଚର୍ତୁପାଶ୍ୱର୍ରେ ମଧ୍ୟ ୧୪୪ ଧାରା ଜାରୀ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛି । ଜଣେ ଆଡ଼ିସିନାଲ ଏସପି, ୪ ଜଣ ଡ଼ିଏସପି, ୧୦ ଜଣ ଇନ୍ସପେକ୍ଟର, ୨୮ ଜଣ ଏସଆଇ ଓ ଏଏସଆଇ, ୪୮ ଜଣ ହାବିଲଦାର ଓ କନେଷ୍ଟବଳ ନିୟୋଜିତ ହୋଇଛନ୍ତି ।