ହରିଚନ୍ଦନପୁର, ବିଦ୍ୟୁତ ଖୁଣ୍ଟ ପଡ଼ିଛି, ଘରେ ଘରେ ମିଟର ବସିଛି, ଏଲ୍ଇଡି ବଲବ୍ ମଧ୍ୟ ଯୋଗାଇ ଦିଆଯାଇଛି, ହେଲେ ଅନ୍ଧାରରେ ଜୀବନ ବିତାଉଛନ୍ତି ୪୫ ଗୋଟି ଆଦିବାସୀ ପରିବାର । ଏଭଳି ଏକ ବିଚିତ୍ର ଚିତ୍ର କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ଗ୍ରାମପଞ୍ଚାୟତର ବିଲ୍ଲା ଗ୍ରାମ ଆଖୁପାଳ ତଳସାହିରେ ଦେଖିବାକୁ ମିଳିଛି । ସାହିର ପ୍ରାୟ ୪୫ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ବିଦ୍ୟୁତ୍ ସଂଯୋଗୀ କରଣ୍ ଯୋଜନାରେ ଦୁଇ ଦୁଇଥର ଇଲେକ୍ଟ୍ରିକ ମିଟର, ସୁଇଚ୍ ବୋର୍ଡ, ଏଲ୍ଇଡି ବଲବ୍, ବଙ୍କୁଲୀ ବାଡ଼ି, ଆବଶ୍ୟକ ସର୍ଭିସ୍ ତାର ଆଦି ଉପକରଣ ଯୋଗାଇ ଦିଆଯାଇଛି । ହେଲେ ଉପକରଣ ଯୋଗାଇ ପରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ, ଯାହାକୁ ନେଇ ଅନ୍ଧାରରେ ୪୫ ପରିବାର ଦିନ କାଟୁଛନ୍ତି । ଉକ୍ତ ସାହି ଠାରୁ ମାତ୍ର ୨୦୦ମିଟର ଦୂର ତଥା ପଡୋଶୀ ସାହି ଗୁଡିକରେ ବିଦ୍ୟୁତ୍ ସଂଯୋଗ ରହିଥିବା ବେଳେ ଦୁଃଖର ବିଷୟ ଏହି ସାହି ଉପରେ ବିଦ୍ୟୁତ୍ ବିଭାଗର ଦୃଷ୍ଟି ପଡୁନାହିଁ । ଏନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଦୃଷ୍ଟି ଆକର୍ଷଣ ସହ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ପାଇ ପାରିନାହାନ୍ତି । ବିଦ୍ୟୁତ ବିଭାଗ ପକ୍ଷରୁ ଖୁବଶୀଘ୍ର ସାହିବାସୀଙ୍କୁ ବିଜୁଳି ଆଲୁଅ ଯୋଗାଇ ଦିଆଯିବ କହି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଆଦିବାସୀଙ୍କୁ ଭଣ୍ଡେଇ ଚାଲିଛି । ଏଥି ମଧ୍ୟରେ ଉପକରଣ ଯୋଗାଇ ଦେବା ଠାରୁ ଦୀର୍ଘ ୫ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଅନ୍ୟପଟେ ଗାଁ ଗାଁକୁ ବିଦ୍ୟୁତ୍ କରଣ କରିବା ଦିଗରେ ସରକାର ବାର୍ଷିକ କୋଟି କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଚାଲିଥିବା ବେଳେ କର୍ତ୍ତୃପକ୍ଷ ଓ ଠିକାଦାର ଉପକରଣ ଯୋଗାଇ ସମ୍ପୂର୍ଣ୍ଣ ଅନୁଦାନ ରାଶି ହଡ଼ପ କରିନେଉଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଅପହଞ୍ଚ ଆଦିବାସୀ ସବୁ ଦିନେ ସରକାରୀ ଯୋଜନାକୁ ଚାହିଁ ଚାହିଁ ଦୁର୍ଦ୍ଦିନରେ ଜୀବନ ବିତାଇବାକୁ ବାଧ୍ୟ ହେଉଥିବା ନଜିର ରହିଛି । ମୁଖ୍ୟ କଥା ସାହିର ଲୋକଙ୍କୁ ମିଟର ସହ ଉପକରଣ ଦିଆଯିବା ପରେ ସଂଯୋଗ ନହୋଇ ସେମାନଙ୍କ ନାମରେ ମାସିକ ବିଦ୍ୟୁତ୍ ବିଲ୍ ମଧ୍ୟ ଆସୁଥିଲା । ଉକ୍ତ ବିଲ୍ ଗୁଡ଼ିକ ବିଭାଗର କର୍ତ୍ତୃପକ୍ଷକୁ ଦେଖାଇବା ପରେ ବିଲ୍ ଛାଡ଼ ହୋଇଥିବା ସାହିବାସୀ ସୂଚନା ଦେଇଛନ୍ତି । ଏଥିପ୍ରତି ବିଦ୍ୟୁତ୍ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ଜିଲ୍ଲାପାଳ ଓ ସ୍ଥାନୀୟ ମନ୍ତ୍ରୀ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ୪୫ ଆଦିବାସୀ ପରିବାରକୁ ବିଦ୍ୟୁତ୍ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ଦାବି ହୋଇଛି ।