ବାରିପଦା- ଓଡ଼ିଶାରୁ ଆଜି ଚିହ୍ନଟ ହୋଇଥିବା ୧୦,୬୪୯ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବକାଳିନ ରେକର୍ଡ଼ ସଂଖ୍ୟକ ୪୦୪ ଜଣ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଯାହାକି, ଗତ ୨୦୨୦ ସେପ୍ଟେମ୍ବର ୩ରେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସର୍ବାଧିକ ୩୬୫ ଅଙ୍କକୁ ପାର୍ କରିଯାଇଛି ଏବଂ ୧୩ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୬୧ରେ ପହଁଚିଛି । ଏଥି ସହିତ ଜିଲ୍ଲାରେ ଆକ୍ରାନ୍ତମାନଙ୍କ ସଂଖ୍ୟା ୨୦,୦୦୦କୁ ବୃଦ୍ଧି ପାଇଛି । ସେହିପରି ମଇ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ ୧୭,୭୨୪ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୨,୧୮୩ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଂଟର, କୋଭିଡ଼ ହସପିଟାଲ, ଟିଏମସି ସେଂଟର, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ବେଳେ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୋଟ୍ ୯୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ତେବେ ସପ୍ତାହାନ୍ତ ସଟ୍-ଡ଼ାଉନ ଓ ଗତ ମେ ୫ରୁ ୧୯ ପର୍ଯ୍ୟନ୍ତ ତାଲାବନ୍ଦ ଜାରି ରହିଥିବା ସତ୍ୱେ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ହ୍ରାସ ପାଇବା ପରିବର୍ତେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ପୂର୍ବର ସମସ୍ତ ରେକର୍ଡ଼କୁ ଅତିକ୍ରମ କରିଯାଇଛି । ଫଳରେ ତାଲାବନ୍ଦର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାରିପଦା ସହରରେ ସକାଳରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ କଟକଣା ଭିତରେ ସାହାଣ ମେଲା ପରିସ୍ଥିତି ଉପୁଜିଥିବାର ପରିଲକ୍ଷିତ ହୋଇଛି । ଦୋକାନ ବଜାର ସବୁଠି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା କଟକଣାକୁ ଖୋଲମଖୋଲା ଅଣଦେଖା ପ୍ରଦର୍ଶନ କରାଯାଇଥିବାର ଦେଖିବାକୁ ମିଳିଛି । ଏଥି ନିମନ୍ତେ ସଚେତନ ନାଗରିକମାନେ ପ୍ରଶାସନର କୋହଳ ମନୋଭାବକୁ ଦାୟୀ କରିଛନ୍ତି ।