
ପୁରୀ, ଚଳିତ ମାସ ୧୫ ତାରିଖ ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯାତ୍ରା କରିବେ । ନରେନ୍ଦ୍ର ପୁଷ୍କରିଣୀ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ଚାପ ଦର୍ଶନ ପାଇଁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସମବେତ ହୋଇଥାନ୍ତି । ହେଲେ ଚଳିତ ବର୍ଷ ପ୍ରଶାସନର କରୋନା କଟକଣା ଯୋଗୁଁ ଦର୍ଶନରୁ ବଂଚିତ ରହିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ଭିଡ଼ ଏଡାଇବାକୁ ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀ ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ ହେବ ବୋଲି ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ ଭର୍ଚୁଆଲ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଚନ୍ଦନ ଯାତ୍ରା ସମୟରେ ମଦନମୋହନ ଓ ପଚଂ ମହାଦେବଙ୍କ ବିମାନକୁ ଶୋଭାଯାତ୍ରାରେ ନିଆଯାଇଥାଏ । ଚଳିତ ବର୍ଷ ଏଥିରେ କମ୍ ସଂଖ୍ୟକ ପାଳିଆ ସେବାୟତ ନିୟୋଜିତ ହେବେ । ଗହଳି କମାଇବା ପାଇଁ ପ୍ରଶାସନ ଏପରି ପଦକ୍ଷେପ ନେଇଛି ।