
ଭୁବନେଶ୍ୱର, ଏଣିକି ପରିଚୟପତ୍ର ନଥିଲେ ମଧ୍ୟ ନେଇ ହେବ କରୋନା ଟିକା । ପରିଚୟପତ୍ର ନଥିବା ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ପରିଚୟ ପତ୍ର ନଥିଲେ ବି ଏମାନେ ସ୍ୱତନ୍ତ୍ର ଟିକା ଅଭିଯାନରେ ସାମିଲ ହୋଇପାରିବେ । ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।ଚିଠିରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ ଟିକା ପାଇଁ ପଞ୍ଜିକରଣ କରିବାକୁ ହେଲେ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି । ହେଲେ ରାଜ୍ୟରେ ଏମିତି ବହୁ ବର୍ଗର ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ଏହି ପରିଚୟ ପତ୍ର ଗୁଡ଼ିକ ମଧ୍ୟରୁ କୌଣସିଟି ବି ନାହିଁ । କିନ୍ତୁ ସେମାନେ ବି କୋଭିଡ ସଂକ୍ରମିତ ହୋଇପାରନ୍ତି ।ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଏବଂ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଏହି ବର୍ଗରେ ତାଲିକାଭୁକ୍ତ କରାଯାଇଛି । ଏହି ବର୍ଗର ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।