-
ମିଷ୍ଟଭାଷୀ, ପରୋପକାରୀ ସ୍ୱ୍ର୍ଗତଃ କଳସଙ୍କ ବିୟୋଗ ରାଜ୍ୟ ବିଜେପି ପାଇଁ ଅପୂରଣୀୟ କ୍ଷତି: ସମୀର ମହାନ୍ତି

ଭୂବନେଶ୍ୱର, ଭାରତୀୟ ଜନତା ପାର୍ଟୀର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ଇଂ. ବୃନ୍ଦାବନ କଳସଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ କଳସଙ୍କ ଗତ କାଲି (୦୮-୦୫-୨୦୨୧, ଶନିବାର) ରାତିରେ ୮୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି ।ସ୍ୱର୍ଗତଃ କଳସ ୧୯୯୦ ମସିହାରୁ ପାର୍ଟୀ ସହ ଜଡିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ତୁଲାଇଥିଲେ । ୧୯୯୫ ମସିହାରେ ଖୋର୍ଦ୍ଧା ବିଧାନସଭା ଏବଂ ୧୯୯୬ ମସିହାରେ ଭୂବନେଶ୍ୱର ଲୋକସଭା କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ଥିଲେ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟୀତ୍ୱ ନିର୍ବାହ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଦାୟୀତ୍ୱ ସହ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠ ଦାୟୀତ୍ୱରେ ବହୁ ଦିନ ଧରି ଥିଲେ । ଓସକାର୍ଡ ବ୍ୟାଂକ ସଭାପତି, ପୁରୀ ଗ୍ରାମ୍ୟ ବ୍ୟାଂକ ସଭାପତି ଭାବେ ନିଜ ଦାୟୀତ୍ୱ ତୁଲାଇଥିଲେ । ଗତ ୨୦୧୯ ମସିହାରେ ସ୍ୱର୍ଗତଃ କଳସଙ୍କୁ ରାଜ୍ୟସ୍ତରୀୟ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ୱର୍ଗତଃ କଳସଙ୍କ ଧର୍ମପତ୍ନୀ, ୩ ପୁଅ ଓ ବୋହୁ, ୧ ଝିଅ ଓ ଜ୍ୱାଇଁ, ନାତିନାତୁଣୀ ଅଛନ୍ତି ।ଗତ ଏପ୍ରିଲ ୬ ତାରିଖ ବିଜେପି ପ୍ରତିଷ୍ଠା ଦିବସ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତଃ କଳସଙ୍କ ସହ ଫୋନ ଯୋଗେ କଥାବାର୍ତା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ ।ମିଷ୍ଟଭାଷୀ, ପରୋପକାରୀ ସ୍ୱ୍ର୍ଗତଃ କଳସଙ୍କ ବିୟୋଗରେ ରାଜ୍ୟ ବିଜେପି ଜଣେ ନିଷ୍ଠାବାନ କାର୍ଯ୍ୟକର୍ତା ହରାଇଛି ବୋଲି ଶ୍ରୀ ମହାନ୍ତି ଶୋକ ବ୍ୟକ୍ତ କରି କହିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଅସମୟରେ ସ୍ୱର୍ଗତଃ କଳସଙ୍କ ଶୋକସନ୍ତପ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ମହାନ୍ତି ପ୍ରାର୍ଥନା କରିଛନ୍ତି ।ସ୍ୱର୍ଗତଃ କଳସଙ୍କ ବିୟୋଗରେ ରାଜ୍ୟ ବିଜେପିର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।